ପ୍ରମୋଦ ଭଗତଙ୍କୁ ପ୍ଲେୟାର୍ସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପାରା ଅଲମ୍ପିକ ଖେଳାଳୀ ତଥା ଖେଳରତ୍ନ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରମୋଦ ଭଗତଙ୍କୁ ତାଙ୍କ ନିଜ ଜନ୍ମ ମାଟି ଅତାବିରାର ନିଜେ ଖେଳିଥିବା ପ୍ଲେୟାର୍ସ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗତକାଲି କ୍ଲବର ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ କୌଶିକ ମହାକୁରଙ୍କ ସଂଯୋଜନାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ପ୍ରଥମେ କ୍ଲବର ସଦସ୍ୟ ତଥା ପାରା ବ୍ୟାଡମିଣ୍ଟନ ଆଲମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ତଥା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରମୋଦ ଭଗତଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ , ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଖେଳରତ୍ନ ଓ ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ପ୍ରମୋଦଙ୍କ ଏହା ନିଜ ଜନ୍ମମାଟିକୁ ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅନୁଷ୍ଠିତ କ୍ଲବର ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିରେ ଖୁବ୍ ଶୀଘ୍ର କ୍ଲବ ପକ୍ଷରୁ ପ୍ଲେୟାର୍ସ କ୍ଲବ୍ ଓ ପିବି ଫାଉଣ୍ଡେସନ ନାମରେ ଏକ ଟ୍ରଷ୍ଟ ଗଠନ କରାଯିବାକୁ ନିଷ୍ପତ୍ତି ନିଆଗଲା । ପାରା ଆଲମ୍ପିକ ସ୍ଵର୍ଣ୍ଣ ପଦକ ବିଜୟୀ ହେବା ପରେ ପ୍ରମୋଦ ରାଜ୍ୟ ସରକାରଙ୍କ ପାଖରେ ଜମି ଯୋଗାଇ ଦେଲେ ଏକ ବ୍ୟାଡମିଣ୍ଟନ ଏକାଡେମୀ ନିର୍ମାଣ କରିବେ ବୋଲି ଅନୁରୋଧ କରିଥିଲେ । କ୍ଲବ ପକ୍ଷରୁ ଖୁବ୍ ଶୀଘ୍ର ସରକାର ଓ ଜିଲ୍ଲା ପ୍ରଶାସନର ସହ ଆଲୋଚନା କରି ପ୍ରମୋଦଙ୍କ ଇଚ୍ଛା ଅନୁସାରେ ବ୍ୟାଡମିଣ୍ଟନ ଏକାଡେମୀ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଗଲା । ଏହି ଏକାଡେମୀ ମାଧ୍ୟମରେ ପ୍ରମୋଦ ନିଜେ ଯୁବ ପିଢ଼ିଙ୍କୁ ତାଲିମ ଦେଇ ରାଜ୍ୟ ତଥା ଦେଶ ପାଇଁ ଅନେକ ନୂତନ ଖେଳାଳୀ ଦେବାକୁ ଇଚ୍ଛା ରଖିଛନ୍ତି । ସାଧାରଣ ପରିଷଦ ବୈଠକରେ କ୍ଲବର ସଦସ୍ୟ ଦୀପକ ରାୟ, ସନ୍ଦୀପ ଅଗ୍ରୱାଲ, ସତିଶ ମିତ୍ତଲ, ବିପୁଳ ଅଗ୍ରୱାଲ, ଚେତନ ଶର୍ମା, ବ୍ରଜେଶ ବଲୋଦିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.