ଭୁବନେଶ୍ୱର, (କେପିଏନ୍ଏସ୍) : ସାହିତ୍ୟ ଅକାଡେମୀ ଅନୁବାଦ ପୁରସ୍କାର ପାଇଁ ଓଡ଼ିଶାରୁ ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯିବ । ଅନୁବାଦ ନିମନ୍ତେ ଓଡ଼ିଶାରୁ ଦୁଇ ସାରସ୍ବତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଛି । ଏନେଇ ଦିଲ୍ଲୀଠାରେ ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ସଚିବ କେ.
ଶ୍ରୀନିବାସ ରାଓ, ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଡ. ବିଜୟାନନ୍ଦ ସିଂ ଏବଂ ସାନ୍ତାଳୀ ଭାଷା କମିଟିର ଆବାହକ ମୋହନ ସୁରେନଙ୍କ ଉପସ୍ଥିତିରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ଓଡ଼ିଶାରୁ ୨ ପ୍ରତିଭାଙ୍କ ସହିତ ମୋଟ ୨୨ଜଣଙ୍କୁ ଅନୁବାଦ ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ ।
ସୂଚନା ଯୋଗ୍ୟ ଯେ, ବେନିୟାମିନଙ୍କ ରଚିତ ମାଲୟାଲମ୍ ଉପନ୍ୟାସ ‘ଗୋଟ୍ ଡେଜ୍’ର ଓଡ଼ିଆ ଅନୁବାଦ ‘ଛେଳି ଚରେଇବାର ଦିନ’ ପାଇଁ ଡ. ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏହାଛଡ଼ା ସଂସ୍କୃତ ଭାଷାରୁ ଶ୍ରୀଗୀତଗୋବିନ୍ଦକୁ ସାନ୍ତାଳୀ ଭାଷାରେ ଅନୁବାଦ ପାଇଁ ଦମୟନ୍ତୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଅକାଦେମିର ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଡ. ସିଂହ ସୂଚନା ଦେଇଛନ୍ତି ।