- ଜିଲ୍ଲାର ସମସ୍ତ ଗାଁରେ ବୃକ୍ଷ ରୋପଣ, ଅଙ୍ଗନାବାଡ଼ି କେନ୍ଦ୍ର, ଜୀବିକା ମିଶନ ଆଦି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ
 
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ଡ଼ିଆରଡିଏ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ ହଲ୍ ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ୱି.କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥ। ଦ୍ଵାରା କରାଯାଉଥିବା ସମସ୍ତ ଉନ୍ନୟନ କାର୍ଯ୍ୟର ସୁସମ୍ପାଦନ ଦିଗରେ ସମସ୍ତେ ତତ୍ପରତା ପ୍ରକାଶ କରନ୍ତୁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଅବଗତ କରାଇଥିଲେ । ଉକ୍ତ ବୈଠକରେ  ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜୀବନ ଓ ଜୀବୀକା, ମିଶନ୍ ଶକ୍ତି, ଛତୁଚାଷ, ଅମୃତ ସାଗର ପୋଖରୀ ଖନନ, ପାନୀୟ ଜଳ, ପରିମଳ ଆଦି ସମସ୍ତ ବିଷୟ ଉପରେ ସମୀକ୍ଷା କରାଯାଇଥିଲା । ମିଶନ୍ ଶକ୍ତି ସହାୟତାରେ ଜିଲ୍ଲାରେ କରାଯାଉଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବାପାଇଁ କୁହାଯାଇଥିଲା । ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟ ଗ୍ରାମପଞ୍ଚାୟତ ସ୍ତରରୁ ସମୀକ୍ଷା କରିବା ଉପରେ ପ୍ରକଳ୍ପ ନିର୍ଦ୍ଦେଶକ ଜଣାଇଥିଲେ । ଚଳିତ ବର୍ଷା ଋତୁରେ ସମସ୍ତ ବ୍ଲକ, ପଞ୍ଚାୟତ ଓ ଗାଁ ସ୍ତରରେ ବୃକ୍ଷ ରୋପଣ କରିବାକୁ କୁହାଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ପରିସ୍କାର ପରିଚ୍ଛନ୍ନତା ଯେଭଳି ବଜାୟ ରହିବ ସେହି ଦିଗରେ ସତର୍କ ଦୃଷ୍ଟି ଦେବାପାଇଁ ଜଣାଇଥିଲେ । ବର୍ଷା ଋତୁରେ ଗ୍ରାମାଞ୍ଚଳର ଲୋକମାନଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୱ୍ୟା ଯେପରି ଦେଖାଯିବ ନାହିଁ ସେଥିପ୍ରତି ଅଧିକ ଦୃଷ୍ଟି ଦେବାପାଇଁ କୁହାଯାଇଛି । ଯେଉଁ ଲୋକମାନଙ୍କୁ ଜବ୍ କାର୍ଡ ଦିଆଯାଇନି ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଜବ୍ କାର୍ଡ ପ୍ରଦାନ କରି ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗେଇ ଦେବାକୁ କୁହାଯାଇଛି ।  ଜିଲ୍ଲାରେ ପ୍ରତ୍ୟେକ ବ୍ଲକ ଓ ଏନଏସି ସ୍ତରରେ ଗଞ୍ଜାମ ହାଟଗୃହ ନିର୍ମାଣ କରିବାକୁ କୁହାଯାଇଛି । ନୂତନ ଭାବେ ଅଙ୍ଗନୱାଡି କେନ୍ଦ୍ର କୋଠା କାର୍ଯ୍ୟ ସମାପନ କରି ତୁରନ୍ତ କେନ୍ଦ୍ରଗୁଡିକୁ ସୌନ୍ଦର୍ଯ୍ୟ କରଣ କରିବା ସହିତ ଟିଭି, ଚୌକି, ଟେବୁଲ, ପିଇବା ପାଣି ଓ ଶୈଚାଳୟ ବ୍ୟବସ୍ଥା କରି ତୁରନ୍ତ ସିଡ଼ିପିଓମାନଙ୍କୁ ହସ୍ତାନ୍ତର କରିବାକୁ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ମନରେଗା କାର୍ଯ୍ୟରେ ମେସିନର ବ୍ୟବହାର ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ମନରେଗା ପ୍ରତୀଟି କାର୍ଯ୍ୟ ଶ୍ରମିକମାନଙ୍କର ଶ୍ରମରେ ଯେଭଳି ହେବ ଏବଂ ଶ୍ରମିକ ଗଣ ଦୈନିକ କାର୍ଯ୍ୟ ପାଇବେ ସେ ଦିଗରେ ପ୍ରକଳ୍ପ ନିର୍ଦ୍ଦେଶକ ଗୁରୁତ୍ୱ ଦେଇଥିଲେ । ଗ୍ରାମ ପଞ୍ଚାୟତ ସ୍ତର ସମସ୍ତ କାର୍ଯ୍ୟ ନିଜ ତତ୍ୱାବଧାନ କରିବା ପାଇଁ କୁହାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମସ୍ତ ଅଧିକାରୀ, କର୍ମଚାରୀ ମିଳିତ ଭାବେ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ୱି.କୀର୍ତ୍ତି ୱାସନ ପ୍ରକାଶ କରି ସମସ୍ତଙ୍କ ସହଯୋଗ କ୍ରମେ ଜିଲ୍ଲାର ବିକାଶ ଧାରାକୁ ଆଗେଇ ନେବାପାଇଁ ପ୍ରବର୍ତ୍ତାଇ ଥିଲେ ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲାର ସମସ୍ତ ବିଡ଼ିଓ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।