ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସ୍ପନ୍ଦନ ଆୟୋଜିତ ଷଷ୍ଠ ସର୍ବ ଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ସିଭିକ ସେଣ୍ଟରଠାରେ ଉଦ୍ଘାଟିତ ହୋଇଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡର ସ୍ପେସାଲ ଡେଭଲପ୍ମେଣ୍ଟ କାଉନସିଲ୍ର ଅଧ୍ୟକ୍ଷ ବିନୟ ଟପ୍ପୋ ଓ ସ୍ୱତନ୍ତ୍ର ଅତିଥି ଭାବେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସ୍ପନ୍ଦନର ସାଧାରଣ ସଂପାଦକ ପ୍ରଫେସର ସମର ମୁଦାଲିଙ୍କ ପୌରାହିତ୍ୟରେ ଆୟୋଜିତ ଏହି ମହୋତ୍ସବରେ ସଂପାଦକ ଡ. ସତ୍ୟ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସହ ସଂପାଦକ କ୍ଷୀରୋଦ କୁମାର ବଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପୁରୁଲିଆରୁ ଆସିଥିବା କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ । ସୁଦୂର ଆସାମରୁ ଆସିଥିବା ‘ବାଡୁଙ୍ଗଦୁପା- ଏସୋସିଓ କଲଚରାଲ ସୋସାଇଟି’ ନାଟ୍ୟାନୁଷ୍ଠାନ ଦ୍ୱାରା ମଦନ ରାୱାଙ୍କ ରଚିତ ଓ ଧନଞ୍ଜୟ ରାୱାଙ୍କ ନିର୍ଦ୍ଦେଶିତ ନାଟକ ‘ବୋଡାରାଜା’ ପରିବେଷିତ ହୋଇଥିଲା । ନାଟକ ଟି ଆସାମର ଅନ୍ୟତମ ଆଦିବାସୀ ସଂପ୍ରଦାୟ ରାୱା ଲୋକଙ୍କ ଲୋକ କାହାଣୀର ଏକ ଅଂଶକୁ ନେଇ ରଚିତ । ଏକ ଗାଁରେ ସାପକୁ ଗ୍ରାମବାସୀ ଭଗବାନ ଭାବି ପୂଜା କରନ୍ତି । ସମାଜର ସମସ୍ତଙ୍କ ମନରେ ସେ ଭାବନା ରହିଥିଲା । କିନ୍ତୁ ଏହାର ସୁବିଧା ନେଇ ସୁବିଧାବାଦୀ ପୂଝାରୀ ନିରୀହ, ଦୂର୍ବଳ, ଭଗବତ ବିଶ୍ବାସୀ ସରଳ ଗ୍ରାମବାସୀ ମାନଙ୍କୁ ଶୋଷଣ କରିବାକୁ ଆରମ୍ଭ କରେ । କ୍ରମଶଃ ତାର ଶୋଷଣ ବଢିଚାଲେ । ଗାଁର ଶାନ୍ତ ବାତାବରଣ ଅଶାନ୍ତ ହୋଇଉଠେ । ଦିନେ ସେ ଗାଁରେ ରନ୍ଦନା ଓ ବନ୍ଦନା ଆସି ପହଞ୍ଚନ୍ତି । ଗାଁର ପୂଝାରୀର ଶୋଷଣ ପ୍ରକ୍ରିୟା ଜାଣିବା ପରେ ତା’ର ବିରୁଦ୍ଧାଚରଣ କରନ୍ତି । କ୍ରମଶଃ ଗ୍ରାମବାସୀମାନେ ଏହା ଜାଣି ପରସ୍ପର ମିଶି ଏହାର ବିରୁଦ୍ଧାଚରଣ କରନ୍ତି । ପରିଶେଷରେ ସେମାନେ ମିଳିମିଶି ଏହାର ସମାଧାନ କରି ପୁଣି ଏକାଠି ରୁହନ୍ତି । ଏହିପରି ଏକ କାହାଣୀ ଉପରେ ପର୍ଯ୍ୟବେଶିତ ଥିଲା ନାଟକ, ଯାହାର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଲଖିକାନ୍ତ ରାୱା । ଭାଷା ଭିନ୍ନ ହୋଇଥିଲେ ହେଁ ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ରମେଶ ଗୌଡ, ଶିଶିର ମୁଦାଲି, ସୁଦିଶ ମିଶ୍ର, କ୍ରିଷ୍ଣା ସିଂହ, ଅମୂଲ୍ୟ ବେହେରା, ନରୋତ୍ତମ ସାମଲ, ଶରଗଦ ବରାଳ, ହିମାଂଶୁ ସାହୁ, ବିଧାନ ଚନ୍ଦ୍ର କୁମାର ଓ ମଧୁସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।