
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁରେ ଚାଷଜମିରୁ ମା-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଉଭୟ ନନ୍ଦିପଦା ଥାନା ଶାଳନିଆଁ ପଞ୍ଚାୟତ ମନହରପୁର ଗ୍ରାମର ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ନନ୍ଦିପଦା ଥାନା ଶାଳନିଆଁ ପଞ୍ଚାୟତ ମନହରପୁର ଗ୍ରାମର ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନେ ଅନେକ ଦିନ ଧରି ଏହି ଅଞ୍ଚଳରେ ଭିକ ମାଗି ଗୁଜୁରାଣ ମେଣ୍ଟାଉ ଥିଲେ । ସ୍ଥାନୀୟ ଲୋକେ ଆଜି ମା’ ପୁଅଙ୍କ ମୃତଦେହ ଚାଷ ଜମିରେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଉଭୟଙ୍କ ମୃତ୍ୟୁ କିଭଳି ଏବଂ କେଉଁ ପରିସ୍ଥିତିରେ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି ।