csstore

ବଲାଙ୍ଗିର ଜିଲ୍ଲାର ୧୦୦ ଗୋଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ପାଇଁ ହାଇସ୍କୁଲ ଗୁଡ଼ିକର ୫-ଟି ରୂପାନ୍ତିରଣ କ୍ରମରେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହି ଧାରା ଜାରି ରହିଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ରୂପାନ୍ତରିତ ହୋଇଥିବା ୧୦୦ ଗୋଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ପରିସର ଠାରେ ଆୟୋଜିତ ଲୋକାର୍ପଣ ସମାରୋହରେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ ।

ମନ୍ତ୍ରୀ ଶ୍ରୀମତୀ ସାହୁ ସମାରୋହରେ ଉଦ୍‌ବୋଧନ ଦେଇ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ କରାଯାଇ ଶିକ୍ଷାନୁଷ୍ଠାନରେ ଏକ ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଅନୁକୂଳ ପରିବେଶ ଯୋଗାଇ ଦିଆଯାଇଛି, ଯାହାକି ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶରେ ବେଶ୍‌ ସହାୟକ ହେବ । ରାଜ୍ୟ ସ୍ତରୀୟ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ପରିଚାଳନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ସ୍ୱାଗତ ବକ୍ତବ୍ୟ ଦେବା ସହ ଜିଲ୍ଲାରେ ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମିର ବିକାଶ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଦଶମ ଶ୍ରେଣୀ ଛାତ୍ର ଅଂଜନେୟ କର ରୂପାନ୍ତରିତ ବିଦ୍ୟାଳୟ ସଂପର୍କରେ ତାଙ୍କ ଅନୁଭୂତି ଉପସ୍ଥାପନ କରିଥିଲେ ।

ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ଦ୍ୱାରା ପାଠ ପଢ଼ିବା ସହ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିଛି ବୋଲି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ବରଦାନ ପାଲଟିଛି ବୋଲି କହିଥିଲେ ଏବଂ ଏଥି ସକାଶେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାରେ ୨୪ ଗୋଟି ହାଇସ୍କୁଲ ମଧ୍ୟରୁ ଆଗଲପୁର ବ୍ଲକର ୬ ଗୋଟି ହାଇସ୍କୁଲ, ବଲାଙ୍ଗିର ବ୍ଲକର ୬ ଗୋଟି, ବଂଗୋମୁଣ୍ଡା ବ୍ଲକର ୫ ଗୋଟି, ବେଲପଡ଼ା ବ୍ଲକର ୮ ଗୋଟି, ଦେଓଗାଁ ବ୍ଲକର ୧୩ ଗୋଟି, ଗୁଡ଼ଭେଲା ବ୍ଲକର ୫ ଗୋଟି, ଖପ୍ରାଖୋଲ ବ୍ଲକର ୬ ଗୋଟି, ଲୋଇସିଂହା ବ୍ଲକର ୫ ଗୋଟି, ମୁରିବାହାଲ ବ୍ଲକର ୪ ଗୋଟି, ପାଟଣାଗଡ଼ ବ୍ଲକର ୮ ଗୋଟି, ପୁଇଁନ୍ତଲା ବ୍ଲକର ୮ ଗୋଟି, ସଇଁନ୍ତଲା ବ୍ଲକ୍‌ର ୧୨ ଗୋଟି, ଟିଟିଲାଗଡ଼ ବ୍ଲକର ୧୧ ଗୋଟି ଓ ତୁରେକେଲା ବ୍ଲକର ୩ ଗୋଟି ହାଇସ୍କୁଲ ରୂପାନ୍ତରିତ ହୋଇଛି ।

ଆଜି ଅନୁଷ୍ଠିତ ଏହି ଲୋକାର୍ପଣ ସମାରୋହରେ ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକୁ ଅତିଥି ମାନେ ଜମି ପଟ୍ଟା ବଂଟନ କରିଥିଲେ ଓ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ସରିତା ବାଗ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ପିଡ଼ି ଡିଆରଡ଼ିଏ ସୁଶାନ୍ତ କୁମାର ସିଂଙ୍କ ସମେତ ବହୁ ବରିଷ୍ଠ ଅଧକାରୀ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.