ବ୍ୟାଙ୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଟାଉନସିପ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ରଶ୍ମିରଂଜନ ପତିଙ୍କ ପଦୋନ୍ନତି ଦିଆଯାଇ କଟକକୁ ଓ ଅନ୍ୟତମ ଅଧିକାରୀ ମିତାଲି ମଧୁସ୍ମିତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଏଥିପାଇଁ ଟାଉନସିପ ଶାଖାରେ ଉଭୟ ଅଧିକାରୀଙ୍କୁ ବିପୁଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଞ୍ଚଳିକ ପ୍ରବନ୍ଧକ ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନୂତନ ଶାଖା ପରିଚାଳକ ସରୋଜ କୁମାର ରାଉତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବ୍ୟାଙ୍କର ସହାୟକ ପ୍ରବନ୍ଧକ ଚିନ୍ମୟୀ ପାତ୍ର ଉଭୟ ଅଧିକାରୀଙ୍କ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରିତ କରିଛି ବୋଲି କହିଥିଲେ। ସେହିପରି ଗ୍ରାହକଙ୍କ ମଧ୍ୟରୁ ପ୍ରଫେସର ଡଃ ପ୍ରଭାତ କୁମାର ମଲ୍ଲିକ, ଡଃ ସୁମନ ଦତ୍ତ, କବି କୁଞ୍ଜବିହାରୀ ରାଉତ ଓ ବ୍ୟାଙ୍କ ତରଫରୁ ସର୍ବଶ୍ରୀ ବଟକୃଷ୍ଣ ଶତପଥୀ, ସତ୍ୟନାରାୟଣ ବିନ୍ଧାଣୀ, ଅନୁପମା ଷଡଙ୍ଗୀ ପ୍ରମୁଖ ଉଭୟ ଅଧିକାରୀଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବିଦାୟୀ ଅଧିକାରୀ ଶ୍ରୀ ପତି ଓ ମିତାଲି ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଭାବବିହ୍ୱୁଳ ବକ୍ତବ୍ୟ ରଖିବା ସହ ରାଉରକେଲାରେ ବିତାଇ ଥିବା ସମୟ ଓ ସହକର୍ମୀମାନଙ୍କ ବନ୍ଧୁତ୍ୱଗୁଣ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଅଧ୍ୟକ୍ଷତା କରୁଥିବା ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଲେ ଯେ କୌଣସି କାର୍ଯ୍ୟକୁ ସେବା ବୋଲି ଭାବିଲେ କ୍ଳାନ୍ତି ଲାଗିବ ନାହିଁ। କାରଣ ଆମ ସେବା ଦ୍ୱାରା ରାଷ୍ଟ୍ର ଗଠନ ହୁଏ । ତେଣୁ କର୍ମ ପ୍ରତି ପ୍ରତିବଦ୍ଧତା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହ ଉଭୟ ଅଧିକାରୀଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ନୂତନ ପରିଚାଳକ ଶ୍ରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସର୍ବଶ୍ରୀ ଜଗମୋହନ ମହାନ୍ତି, ଆଶିଷ୍ୟ ହୋତା, ହେଲେନ ସୁରିନ୍, ସଂଗୀତା ବାନାର୍ଜୀ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.