ଅଶୋକ ଚନ୍ଦନ ସ୍ମୃତି ସମିତି ପକ୍ଷରୁ ସାରସ୍ଵତ ସମାବେଶ, କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ପାଟଣାଗଡ, (ଗୋରେଖନାଥ ବରିହା) : ଓଡିଆ ଗଳ୍ପ ଜଗତରେ ଆପଣାର ଅସ୍ତିତ୍ୱବାଦୀ ଚେତନାର ଗଳ୍ପ ପାଇଁ ପାଠକୀୟ ଆଦୃତ ପାଇଥିବା ସୁନାମ ଗାଳ୍ପିକ ଅଶୋକ କୁମାର ଚନ୍ଦନଙ୍କ ଅକାଳ ବିୟୋଗ ଓଡିଆ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ସାହିତ୍ୟ କୃତିର ଯଥାଯଥ ମୂଲ୍ୟାୟନ ହେବା ଜରୁରୀ ବୋଲି ଆଜି ପାଟଣାଗଡ ବ୍ରହ୍ମପୁରା ସ୍ଥିତ ସୁଭଦ୍ରା ଭବନ ଠାରେ ଅଶୋକଙ୍କ ସ୍ମୃତିରେ ଅନୁଷ୍ଠିତ ସାରସ୍ୱତ ସମାରୋହ ଅବସରରେ ଏହି ମତ ପ୍ରକାଶ ପାଇଛି । ଅଶୋକ ଚନ୍ଦନ ସ୍ମୃତି ନ୍ୟାସ ଓ ଅଶୋକ ଚନ୍ଦନ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ନ୍ୟାସ ତରଫରୁ ଆଶିଷ ଚନ୍ଦନ ସଭା ପରିଚାଳନା କରିଥିଲେ । ଘନଶ୍ୟାମ ଅଗ୍ରୱାଲ ସ୍ଥପତି, ଚିତ୍ରଶିଳ୍ପୀ ଅନ୍ତର୍ଯ୍ୟମୀ ମେହେର, କ୍ଷୀରୋଦ୍ର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ପରେ କବୟତ୍ରୀ ସଂଯୁକ୍ତା ପରିଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକଶତ କବିଙ୍କ କବିତା ପାଠୋତ୍ସବ ଓ ‘ସାହିତ୍ୟ ପ୍ରତିଷ୍ଠାନ ଓ ପତ୍ରପତ୍ରିକାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସୁଶ୍ରୀ ସବିତା ଭୋଇ, ସଂଯୁକ୍ତା ଚନ୍ଦନ, ପ୍ରଦୀପ୍ତ କୁମାର ଦାଶ, ସନ୍ତୋଷ କୁମାର ଦାଶଙ୍କ ସଂଯୋଜନାରେ ‘ଆଞ୍ଚଳିକ ସମ୍ବାଦ’ ସାପ୍ତାହିକ ଖବରକାଗଜ ଓ ସାହିତ୍ୟ ପତ୍ରିକା ‘ସ୍ରୋତସ୍ୱତ’ ର ସଂପାଦକ ସନ୍ଦୀପ କୁମାର କୁଅଁର ଓ ସାପ୍ତାହିକ ‘ପ୍ରେରଣା’ର ସଂପାଦକ ରଘୁନନ୍ଦନ ସିଂ ଆଲୋଚନାରେ ଅଂଶଗ୍ରହଣ କରି ପ୍ରକୃତ ସାହିତ୍ୟ ବା ସତ ସାହିତ୍ୟ କେବେ କୌଣସି କାଳଖଣ୍ଡରେ ବାନ୍ଧି ହୁଏ ନାହିଁ । ତେଣୁ ସାହିତ୍ୟ ସୃଷ୍ଟି ଆମର ଧୈର୍ଯ୍ୟ ହେଉ ବୋଲି କହିଥିଲେ । ପରେ ସଂଯୋଜକ ମାନଙ୍କ ମନୋଜ୍ଞ ସଂଯୋଜନାରେ ଶହେ ଜଣ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି କବିତା ପାଠୋତ୍ସବରେ ବଲାଙ୍ଗିର, ପାଟଣାଗଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, ଲାଠୋର ଆଦି ଅଞ୍ଚଳରୁ ବହୁ କବି, ଲେଖକ ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.