ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବରିଷ୍ଠ ଶିକ୍ଷାବିତ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ କ୍ରିୟାନ୍ୱୟନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ୟୁୟୁଟିଏ) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଦାବୀ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ଉତ୍କଳ ବିଶ୍ୱବିଦ୍ୟାଳୟର ଦାର୍ଶନିକ ବିଭାଗର ପୂର୍ବତନ ପ୍ରାଧ୍ୟାପକ ପ୍ରଫୁଲ ମହାପାତ୍ର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘର ସଭାପତି ପ୍ର. କୁଞ୍ଜ ବିହାରୀ ପଣ୍ଡା ଏବଂ ଅମରେଶ୍ୱର ମିଶ୍ର, ଜିବିଏନ ଚଇନି, ମେହଶ୍ୱର ସାହୁ ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ଏ ପ୍ରସଙ୍ଗରେ ଅବଗତ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାଧୀନତା ତଥା ସାୟତ୍ତତା ଶିକ୍ଷାନୁଷ୍ଠାନକୁ ଅଧିକ ମଜଭୂତ କରେ । ରାଜ୍ୟ ସରକାର ସମ୍ମାନର ସହ ଉଚ୍ଚ ଶିକ୍ଷା ଏବଂ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟତ୍ତତା ବଜାୟ ରଖିବା ଦିଗରେ କାମ କରିବା ଦରକାର । ଭାରତ ସରକାରଙ୍କ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)ରେ ମଧ୍ୟ ବିଶ୍ୱବିଦ୍ୟାଳୟ ମାମଲାରେ ସରକାର ହସ୍ତକ୍ଷେପ କରିବା ଅନୁଚିତ ବୋଲି ଉଲ୍ଲେଖ ରହିଛି । କିନ୍ତୁ ରାଜ୍ୟ ସରକାର ଏନ୍‌ଇପିର ନିର୍ଦ୍ଦେଶର ବୀପରିତ ଦିଗରେ ଯାଇ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ସଂଶୋଧନ କରି ୟୁଜିସିର ନିୟମର ଉଲ୍ଲଂଘନ କରିଛନ୍ତି ।

ମାନ୍ୟବର ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ଏହି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନକୁ କ୍ରିୟାନ୍ୱୟନ କରିବା ଉପରେ ରହିତାଦେଶ ଜାରୀ କରିଛନ୍ତି । ତେଣୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ । କୁଳାଧିପତି ଭାବରେ ରାଜ୍ୟପାଳ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧିନିୟମ ଉପରେ ପୁନର୍ବିଚାର କରି ଏହାକୁ ହଟାଇ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଦିଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ସଂଘ ଦାବୀ କରିଛି ।

Leave A Reply

Your email address will not be published.