ହାତିବନ୍ଧା ଗାୟତ୍ରୀ ମନ୍ଦିରପଡା ସ୍ଥିତ ଚାହାର ମଞ୍ଜି କାରଖାନା ସ୍ଥାନାନ୍ତର ଦାବୀ

  • କାରଖାନାର ଶବ୍ଦ ଓ ଦୁର୍ଗନ୍ଧରେ ଅତିଷ୍ଠ ପଡ଼ାବାସୀ, ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ
  • କାରଖାନା ସ୍ଥାନାନ୍ତର ନହେଲେ ଆନ୍ଦୋଳନର ଚେତାବନୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ଗାୟତ୍ରୀ ମନ୍ଦିରପଡ଼ା ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ଏକ ଚାହାର ମଞ୍ଜି କାରଖାନାକୁ ସ୍ଥାନାନ୍ତର ଦାବୀ ନେଇ ନୂଆପଡା ଜିଲାପାଳଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । କାରଖାନାରୁ ନିର୍ଗତ ଶବ୍ଦ ଓ ଦୁର୍ଗନ୍ଧରେ ପଡ଼ାବାସୀ ଅତିଷ୍ଠ ହୋଇପଡୁଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପଡାବାସୀଙ୍କ ଅଭିଯୋଗ ଅନୁସାରେ ଆଜକୁ ପ୍ରାୟ ୨୦ ବର୍ଷରୁ ଅଧିକ ହେବ ହାତିବନ୍ଧା ଗାୟତ୍ରୀ ମନ୍ଦିରପଡା ମଧ୍ୟରେ ସ୍ଥାନୀୟ ବ୍ୟକ୍ତି ପବନ କୁମାର ଅଗ୍ରୱାଲ ଏକ ଚାହାର ମଞ୍ଜି କାରଖାନା ସ୍ଥାପନ କରିଛନ୍ତି । ଏଠାରେ ଚାହାର ମଞ୍ଜି ଗୋଦାମ କରି ରଖିବା ସହ କାରଖାନାରେ ମେସିନ ମାଧ୍ୟମରେ ଚିରଞ୍ଜି ବାହାର କରି ବାହାର ରାଜ୍ୟକୁ ପଠାଇଥାନ୍ତି । ଏହି ମେସିନଗୁଡିକ ଚାଲିବା ଦ୍ୱାରା କାରଖାନାର ଶବ୍ଦରେ ପଡ଼ାବାସୀ ଅତିଷ୍ଠ ହୋଇପଡୁଛନ୍ତି । ଏହି ଶବ୍ଦ ପ୍ରଦୂଷଣ ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ସେହିପରି ବିଦ୍ୟୁତ କାଟ ସମୟରେ ଜେନେରେଟର ଚାଲନା ଯୋଗୁଁ କାରଖାନାର ଶବ୍ଦ ଦ୍ୱିଗୁଣିତ ହୋଇଯାଏ । ଏହା ଅଞ୍ଚଳ ତଥା ପଡାବାସୀଙ୍କ ପାଇଁ ରାତିଦିନ ଅସହ୍ୟ ହୋଇପଡେ । ସେହିପରି କାରଖାନାକୁ ଆସୁଥିବା ଯାନବାହନ ସବୁବେଳେ କାରଖାନା ସମ୍ମୁଖରେ ମୁଖ୍ୟ ରାସ୍ତାଉପରେ ଜମା ହୋଇଥିବାରୁ ଯାତାୟାତରେ ଅସୁବିଧା ଦେଖାଦେଉଛି ଓ ରାସ୍ତା ସବୁବେଳେ ବିପଦ ସଂକୁଳ ହୋଇପଡିଛି । ସେହିପରି ଚାହାର ମଞ୍ଜିରୁ ଚିରଞ୍ଜି ନିଷ୍କାସନ କରିବା ପୂର୍ବରୁ ଉକ୍ତ ଚାହାର ମଞ୍ଜିକୁ ପାଣିରେ ଦୀର୍ଘ ସମୟ ରଖା ଯାଇ ସଫା କରାଯାଇଥାଏ । ଉକ୍ତ ମଇଳା ପାଣିକୁ ବାହାରକୁ ଛଡ଼ାଯାଇଥାଏ । ଏଥିରେ ଦୀର୍ଘ ସମୟ ଧରି ଚାହାର ମଞ୍ଜିକୁ ରଖାଯାଇଥିବାରୁ ଏହା ପ୍ରବଳ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ଉକ୍ତ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡୁଛି । ପୁଣି ଏହି ଦୁର୍ଗନ୍ଧଯୁକ୍ତ ମଇଳା ପାଣିରେ ଅନେକ ପ୍ରକାର ଜୀବାଣୁ ସୃଷ୍ଟି ହୋଇ ଆଖପାଖ ଘରମାନଙ୍କୁ ପ୍ରବେଶ କରୁଥିବା ପ୍ରକାଶ କରିଛନ୍ତି । ଉକ୍ତ ଅପ୍ରୀତିକର ପରିବେଶ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ତଥା ଚର୍ମରୋଗ ହେଉଥିବା ଅଭିଯୋଗ କରିଛନ୍ତି । ଏକ ଜନବସତି ମଧ୍ୟରେ ଏଭଳି କାରଖାନା ସ୍ଥାପନ ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ନିୟମାନୁସାରେ ଯେକୌଣସି କାରଖାନା ସ୍ଥାପନ କରିବାକୁ ହେଲେ ବିଭାଗୀୟ ସହମତି ଓ ପଞ୍ଜିକରଣ କରି ଜନବସତିର ଏକ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ସ୍ଥାପନ କରିବା କଥା । ହେଲେ ଏଠାରେ ଏକ ଜନବସତି ମଧ୍ୟରେ କିଭଳି ଏକ କାରଖାନା ସ୍ଥାପନ କରାଯାଇଛି ଓ କିଭଳି ସରକାରୀ ସ୍ୱୀକୃତି ମିଳିଛି, ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ କରିଛନ୍ତି । ଏଣୁ ସ୍ଥାନୀୟ ଜନସାଧାରଣ ଏକଜୁଟ ହୋଇ ଉକ୍ତ କାରଖାନାକୁ ସ୍ଥାନାନ୍ତର କରି ସମସ୍ୟାର ସମାଧାନ କରିବା ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ କାରଖାନାର ପଞ୍ଜିକରଣ, ସ୍ୱୀକୃତି ତଥା ଫିଜିବିଲିଟି ପ୍ରମାଣ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ମହେନ୍ଦ୍ର ମେହେର, ଧର୍ମେସ କାଣ୍ଡ, ସଦାନନ୍ଦ ନାମଦେବ, ରାଜେଶ ମେହେର, ରବିନ କାଣ୍ଡ, ଲିବୁନ କାଣ୍ଡ, ବାପି କାଣ୍ଡ, ସହଦେବ କାଣ୍ଡ, ଦେବରାଜ ବେହେରା, ଭୁବନେଶ୍ୱର ମେହେର, ସୁକାନ୍ତ ମେହେର, ବିଜୟ ମେହେର, ଲବନେଶ୍ୱର ମେହେର, ବିଜୟା ମେହେର, କୁନ୍ତଳା ମେହେର, ମାନିରାମ ମେହେର, ଚୈତନ୍ୟ କାଣ୍ଡ, ଭୀଷ୍ମରାଜ ମେହେର, ସୁରେଶ୍ୱର ମେହେର, କନ୍ଦର୍ପ କଟା, ଭୂମିସୁତା ମେହେର, ପ୍ରେମଲାଲ କାଣ୍ଡ, ଜନ୍ମେଜୟ ମେହେର, ଗରୁଡ଼ଧ୍ଵଜ ବେହେରା, ତାରଜନ ମେହେରଙ୍କ ସମେତ ସ୍ଥାନୀୟ ଶତାଧିକ ଲୋକ ଦାବୀ କରିଛନ୍ତି । ଏହାର ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.