pakka

ଭଡାଟିଆ ସେନାବାହିନୀ

bbehera

ସୌମେନ୍ଦ୍ର ଜେନା
ଅତୀତ କାଳରେ ରାଜା-ମହାରାଜା ଏବଂ ସାମନ୍ତ ରାଜାମାନେ ଏମିତି ଭଡାଟିଆ ସେନାଙ୍କୁ ବ୍ୟବହାର କରୁଥିଲେ । ଏବେ ଲୋକଙ୍କୁ ଦମନ କରିବା ପାଇଁ ସେମିତି ଆମେରିକା ଓ ରୁଷିଆ ନିଜର ଲକ୍ଷ୍ୟସାଧନ ପାଇଁ ସେନାଙ୍କୁ ବ୍ୟବହାର ନକରି ଭଡାଟିଆ ସେନାବାହିନୀ ବା ବେସରକାରୀ ସେନାଙ୍କୁ ଉପଯୋଗ କରୁଛନ୍ତି । ଇରାକ୍‌, ସିରିଆ, ଆଫଗାନିସ୍ଥାନ ଆଦି ଦେଶରେ ଠିକାଦାରମାନଙ୍କ ଦ୍ୱାରା ପରି·ଳିତ ଭଡାଟିଆ ସେନା ସରକାରଙ୍କ ନିର୍ଦ୍ଦେଶରେ ଲଢିଥିବା ବିଷୟ ସମସ୍ତଙ୍କୁ ଜଣାଅଛି । ଆଜିର ସମୟରେ କମ୍ପାନୀସେନା ବା ଭଡାଟିଆ ସେନାବାହିନୀ ହଜାର ହଜାର କୋଟିର ବ୍ୟବସାୟରେ ପରିଣତ ହୋଇଛି । ଏହି ଭଡାଟିଆ ଯବାନମାନେ ଟଙ୍କା ପାଇଁ ଠିକାଦାର କିମ୍ବା କମ୍ପାନୀ ପାଇଁ ନିୟମିତ ସେନାପରି ଲକ୍ଷ୍ୟନେଇ କାର୍ଯ୍ୟ କରିଥାନ୍ତି । ଏମାନେ ଦେଶପ୍ରତି ନୁହେଁ ନିଜର ନିଯୁକ୍ତିଦାତା ପ୍ରତି ଅନୁରକ୍ତ ରହିଥାନ୍ତି । କାର୍ଯ୍ୟରେ ସ୍ୱଚ୍ଛତା, ଦାୟିତ୍ୱବୋଧ, ମାନବିକତା, ରାଜନୈତିକ ସମ୍ମତିର କୌଣସି ମୂଲ୍ୟ ଏମାନଙ୍କ ନିକଟରେ ନଥାଏ । ଏମାନେ ରାଷ୍ଟ୍ର ପ୍ରେମ ନୁହେଁ ଅର୍ଥ ପ୍ରତି ଶ୍ରଦ୍ଧାକୁ ନେଇ ସଂଘର୍ଷରେ ସାମିଲ ହୋଇଥାନ୍ତି । ଜାତିସଂଘର ଆଇନ ଅନୁସାରେ ବେସରକାରୀ ସେନାବାହିନୀ, ସେନା ଠିକାଦାରୀ ଆଦି ବେଆଇନ ହୋଇଥିଲେ ମଧ୍ୟ ଏବେ ତାହା ୧୦୦ ବିଲିଅନ ଡଲାରର ବ୍ୟବସାୟରେ ପରିଣତ ହୋଇଛି । ଆମେରିକାର ଏମିତି ଏକ ସେନାବାହିନୀ କମ୍ପାନୀ ଏକାଡେମୀ ନାମରେ ରହିଛି ଯାହାର ଯବାନମାନେ ବ୍ଲାକ ୱାଟର ନାମରେ କାର୍ଯ୍ୟକରିଛନ୍ତି । ୨୬ଡିସେମ୍ବର ୧୯୯୬ରେ ଆମେରିକାର ପୂର୍ବତନ ନୌସେନା ଅଧିକାରୀ ଏରିକ ପ୍ରିନ୍ସଙ୍କଦ୍ୱାରା ବ୍ଲାକୱାଟର ସଂସ୍ଥା ଆରମ୍ଭ ହୋଇଥିଲା । ୨୦୦୯ରେ ଏହା ଏକ୍ସଇ ସର୍ଭିସେସ୍‌ ଏବଂ ୨୦୧୧ ଠାରୁ ଏହା ଏକାଡେମୀ ନାମରେ କାର୍ଯ୍ୟକରୁଛି । ୨୦୦୭ରେ ଏହାର ଯବାନମାନେ ଇରାକର ରାଜଧାନୀ ବାଗ୍‌ଦାଦ୍‌ର ନିସୋର ସ୍କୋୟାରଠାରେ ୧୭ଜଣ ସାଧାରଣ ନାଗରିକଙ୍କୁ ଆଖିବୁଜା ଗୁଳିକରି ହତ୍ୟା କରିବା ସହ ୨୦ଜଣଙ୍କୁ ଆହତ କରିଥିଲେ । କିନ୍ତୁ ଏହି ହତ୍ୟାକାରୀ ଯବାନମାନଙ୍କୁ ୨୨ଡିସେମ୍ବର ୨୦୨୦ରେ ଡୋନାଲଡ୍‌ ଟ୍ରମ୍ପଙ୍କ ସରକାର ସାତଖୁଣ ମାଫ୍‌କରି ଛାଡି ଦେଇଥିଲେ । ଭର୍ଜିନିଆ ରାଜ୍ୟର ସନ୍‌ରାଇଜ ଭାଲୀ ଠାରେ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ରହିଛି । କେଗ୍ର ନିକ୍‌ସନ୍‌ ଏବଂ ଆଲେନ୍‌ ସ୍କାଫର ଏହି ସଂସ୍ଥାକୁ ଏବେ ଚଳାଉଛନ୍ତି । ଆମେରିକାର ଗୋଇନ୍ଦା ସଂସ୍ଥା ସିଆଇଏ ପାଇଁ ୨୦୦୩ରୁ ଏହି ସଂସ୍ଥା ସେବା ଯୋଗାଇ ଦେଇଆସିଛି । ୨୦୧୩ରେ ସଂସ୍ଥା ପ୍ରାୟ ୯୨ ମିଲିଅନ ଡଲାରର ଠିକା ସୁରକ୍ଷା ବାବଦକୁ ଆମେରିକାର ସରକାରଙ୍କଠାରୁ ପାଇଥିଲା । ୨୦୧୪ରୁ ଏହ ସଂସ୍ଥା କନ୍‌ଷ୍ଟେଲିସ୍‌ ଗ୍ରୁପରେ ମିଶି କାର୍ଯ୍ୟ କରୁଛି । ୨୦୧୫ରେ ୟେମେନରେ ହୁଥୀ ବିଦ୍ରୋହୀଙ୍କ ବିରୋଧରେ ଲଢିବା ପାଇଁ ଏମିରେଟ ସରକାର ଅଷ୍ଟ୍ରେଲିଆର ଜଣେ କମାଣ୍ଡରଙ୍କ ନେତୃତ୍ୱରେ କଲମ୍ବିଆରୁ ଯେଉଁ ଭଡାଟିଆ ସେନା ନେଇଥିଲେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଜଣାପଡିଥିଲା । ୧୭ ଜାନୁଆରୀ ୨୦୧୬ରେ ହୁଥୀ ନେତା ଅଲି ଅଲହୁଥୀ ପ୍ରକାଶ କରିଥିଲେ ଯେ ସେମାନଙ୍କ ଟୋଚ୍‌କା କ୍ଷେପଣାସ୍ତ୍ର ସାଉଦି ନେତୃତ୍ୱରେ ପରି·ଳିତ ବାହିନୀକୁ ମାରିବଠାରେ ଆଘାତ କରିଥିଲା ଯେଉଁଥିରେ ୧୨୦ରୁ ଅଧିକ ଭଡାଟିଆ ସେନା, ୯ସାଉଦି ଅଧିକାରୀ, ୧୧ ଏମିରେଟ ଅଧିକାରୀ, ୧୧ ବ୍ଲାକୱାଟର ଯବାନଙ୍କ ମୃତ୍ୟୁ ହୋଇଥିଲା । ଆମେରିକାର କୋଲୋନେଲ ନିକୋଲାସ ପେଟ୍ରାସଙ୍କର ମୃତ୍ୟୁ ମଧ୍ୟ କ୍ଷେପଣାସ୍ତ୍ର ମାଡ ଯୋଗୁ ହୋଇଥିଲା । ଇରାକ୍‌ରେ ଲଢିବା ପାଇଁ ପ୍ରାୟ ୩୨୦ ମିଲିଅନ ଡଲାର ଠିକା ବ୍ଲାକ୍‌ ୱାଟରକୁ ମିଳିଥିଲା ।୨୦୦୦୦ରୁ ୩୦୦୦୦ ଠିକାଦାରଙ୍କୁ ନେଇ କମ୍ପାନୀ ଇରାକ ଆକ୍ରମଣରେ ଲଗାଇଥିଲା ଯେଉଁଥିରେ ୨୧୦୦୦ ଅବସରପ୍ରାପ୍ତ ସ୍ପେସାଲ ଫୋର୍ସ ଓ ଆମେରିକାର ଯବାନ ସାମିଲ ଥିଲେ ।
ରୁଷିଆର ଏମିତି ଭଡାଟିଆ ସେନାବାହିନୀ ହେଲା ୱାଗନର ଗ୍ରୁପ୍‌ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ବ୍ୟବସାୟୀ ବନ୍ଧୁ ୟେଭଗେନୀ ପ୍ରିଗୋଟିନ୍‌ ଏହାର ପ୍ରତିଷ୍ଠାତା । ତେବେ ତାଙ୍କୁ ଲେଫନନାଣ୍ଟ କୋଲୋନେଲ ଦିମିତ୍ରି ଉଟକିନ ଏବଂ କୋଲୋନେଲ କନଷ୍ଟାଣ୍ଟିନ ପିକାଲୋଭ ଏଥିରେ ସାହାଯ୍ୟ କରୁଛନ୍ତି । ୨୦୧୪ରୁ ଏହି କମ୍ପାନୀ ୧୦୦୦ ଯବାନଙ୍କୁ ନେଇ ଆରମ୍ଭ ହୋଇଥିଲା । ଡିସେମ୍ବର ୨୦୧୭ ବେଳକୁ ପ୍ରାୟ ୬୦୦୦ ଯବାନ କମ୍ପାନୀରେ କାର୍ଯ୍ୟ କରୁଥିଲେ । ବିଗତ ୮ବର୍ଷରେ କ୍ରିମିଆର ଡୋନବାସ୍‌ ଯୁଦ୍ଧ, ୟୁକ୍ରେନ ବିମାନ ବାହିନୀର ଇଲ୍ୟୁସିନ -୭୬ ବିମାନକୁ ନଷ୍ଟ କରିବା, ସିରିଆର ଯୁଦ୍ଧ, ୨୦୧୫-୧୬ର ଲାଟକିଆ ଯୁଦ୍ଧ, ୨୦୧୬ରେ ସିରିଆର ଉତ୍ତର ଆଲେପୋ ଯୁଦ୍ଧ, ସିରିଆର ପାଲମିରା ଯୁଦ୍ଧ, ଇଡଲିବ ଯୁଦ୍ଧ, ସୁଦାନ ଗୃହଯୁଦ୍ଧ, ମାଲି ଯୁଦ୍ଧ, କାବୋ ଡେଲ୍‌ଗାଡୋରେ ଯୁଦ୍ଧ, ଲିବିୟା ଗୃହଯୁଦ୍ଧ ଆଦିରେ ଏହି କମ୍ପାନୀର ଯବାନମାନେ ସଂପୃକ୍ତ ରହିଆସିଛନ୍ତି । ୨୦୧୬ ଡିସେମ୍ବରରେ ରୁଷିଆ ପାଇଁ ସେବା ଯୋଗୁଁ କ୍ରେମଲିନଠାରେ କମ୍ପାନୀର ଅଧିକାରୀ ଆଲେକଜାଣ୍ଡର କୁଜ୍‌ନେତ୍‌ସୋଭ, ଆଣ୍ଡ୍ରି ବୋଗାଟୋଭ, ଆଣ୍ଡ୍ରି ଟ୍ରୋସେଭ ଓ ଭଟକିନ୍‌ଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଥିଲା, ଯେଉଁଥିରେ ପୁତିନ ଉପସ୍ଥିତ ରହିଥିଲେ । ୧୫ଏପ୍ରିଲ ୨୦୧୮ରେ ରୁଷିଆର ସାମ୍ବାଦିକ ମାସିକିମ ବୋରୋଦିନଙ୍କର ୟେକଟେରିନ ବର୍ଗଠାରେ ରହସ୍ୟଜନକ ମୃତ୍ୟୁ ହୋଇଥିଲା । ସିରିଆରେ ଆମେରିକା ସମର୍ôଥତ ଗୋଷ୍ଠୀ ବିରୋଧରେ ଲଢି ମୃତ୍ୟୁବରଣ କରିଥିବା ୱାଗନର ଯବାନଙ୍କ ସଂପର୍କରେ ସେ ଖବର ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ । ସେମିତି ୩୦ଜୁଲାଇ ୨୦୧୮ରେ ତିନିଜଣ ରୁଷ ସାମ୍ବାଦିକ କିରିଲ ରାଡଚେଙ୍କୋ, ଆଲେକ୍‌ଜାଣ୍ଡର ରସ୍ତୋରଗୁଏଭ, ଓରଖାନ ଝେମାଲଙ୍କୁ କେନ୍ଦ୍ର ଆଫ୍ରିକାନ ରିପବ୍ଲିକ୍‌ ଠାରେ ହତ୍ୟା କରାଯାଇଥିଲା । ସେମାନେ ୱାଗନର ଯବାନଙ୍କ କାର୍ଯ୍ୟ ସଂପର୍କରେ ରିପୋର୍ଟ ଲେଖିବାକୁ ଯାଇଥିଲେ । ଏହି ଦୁଇଟି ହତ୍ୟାକାଣ୍ଡ ପଛରେ ୱାଗନର ଯବାନମାନେ ରହିଥିବା ଅଭିଯୋଗ ହୋଇଥାଏ । ୱାଗନର କାର୍ଯ୍ୟକଳାପକୁ ନେଇ ଗଣମାଧ୍ୟମରେ ସମ୍ବାଦ ପ୍ରକାଶନକୁ ବନ୍ଦ କରିବାକୁ ସେହି ହତ୍ୟାକାଣ୍ଡ ହୋଇଥିଲା । ସେହି ଖବରପ୍ରକାଶ ଯୋଗୁ ରୁଷିଆର ସରକାର ଦେଶ ଭିତରେ ସମାଲୋଚିତ ହୋଇଥିଲେ । ପୁତିନଙ୍କୁ ସୁରକ୍ଷା ଦେବା ପାଇଁ ସାମ୍ବାଦିକମାନଙ୍କୁ ଶେଷ କରାଯାଇଥିଲା ବୋଲି କୁହାଯାଏ । ଏହି ଭଡାଟିଆ ସେନାବାହିନୀ ଗଣର କଣ୍ଠରୋଧ ପାଇଁ ନିଜ ଦେଶର ଲୋକଙ୍କୁ ମଧ୍ୟ ହତ୍ୟା କରିପାରନ୍ତି,ସରକାରଙ୍କ ପାଇଁ କାର୍ଯ୍ୟକରି ସାତଖୁଣ ମାଫ୍‌ ପାଇଥାନ୍ତି, ଯାହା ବର୍ତ୍ତମାନର ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ପାଇଁ ସନ୍ତ୍ରାସର ଅନ୍ୟ ଏକ ରୂପରେ ବିପଦ ବୋଲି କୁହାଯାଇପାରେ ।

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Leave A Reply

Your email address will not be published.

8 + 11 =