
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ଯୋଗ ମହୋତ୍ସବ ସମିତି, ରାଉରକେଲା ମହାନଗର ସହଯୋଗରେ ସ୍ଥାନୀୟ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୫୦୦ରୁ ଉର୍ଦ୍ଧ୍ଵ ଲୋକ ସମବେତ ହୋଇ ଯୋଗାଭ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିଧାୟକ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ବିଶ୍ୱକୁ ଭାରତ ଦେଇଥିବା ଉପହାର ମଧ୍ୟରେ ଯୋଗ ଅନ୍ୟତମ ବୋଲି କହିବା ସହ ସବୁ ବର୍ଗର ଲୋକଙ୍କୁ ସୁସ୍ଥ ରଖିବାରେ ଯୋଗ ଆଜି ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ । ଏହା ସହ ଏକ ସୁସ୍ଥ ଜୀବନଶୈଳୀ ପାଇଁ ଦୈନନ୍ଦିନ ଜୀବନରେ ଯୋଗ ନିତାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ରାଉରକେଲା ବନଖଣ୍ଡ ଅଧିକାରୀ ରବି ମୀନା, ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।