ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ : ଜିଲ୍ଲାର ଚାଷ ଓ ଚାଷୀଙ୍କ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅସିତ ତ୍ରିପାଠୀ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ସଇଁତଳା ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ୨୦୦୦ ଲିଟର କ୍ଷମତା ସମ୍ପନ୍ନ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଓ ୫ ହଜାର କ୍ଷମତା ସମ୍ପନ୍ନ ଦୁଗ୍ଧ ଟ୍ୟାଙ୍କରକୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କ ସହ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ଦୁଗ୍ଧ ଚାଷୀ ସଚେତନତା ସଭାରେ ଉଦବୋଧନ ଦେଇ ଚାଷୀ ମାନଙ୍କର ଯେପରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେଥିପ୍ରତି ସରକାର ବିଶେଷ ଗୁରୁତ୍ଵ ପ୍ରଦାନ କରୁଛନ୍ତି । ଚାଷୀ ମାନେ ଉତ୍ସାହିତ ହେଲେ ସରକାର ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବେ । ଚାଷୀ ମାନେ ଧାନ ଚାଷ ବ୍ୟତିତ ଅନ୍ୟାନ୍ୟ ଅର୍ଥକାରୀ ଫସଲ କାଲେ ବିଶେଷ ଲାଭବାନ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ପର୍ଯ୍ୟାପ୍ତ ଦୁଗ୍ଧ ଉତ୍ପାଦନ ହେଲେ ଏଠାରେ ଏକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଦୁଗ୍ଧ ଶୀତଳିକରଣ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ଵାରା ଅଞ୍ଚଳର ୬୫୦ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିବା ବେଳେ ଏହି ସଭାରେ ସେ ନୂତନ ଦୁଗ୍ଧ ଚାଷୀ ମାନଙ୍କୁ ଦୁଗ୍ଧ କ୍ୟାନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ସଇଁତଳା ପଞ୍ଚାୟତ ସମିତିର ଅଧ୍ୟକ୍ଷ। ମୋନିକା ସିଂଭୋଇ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ବଲାଙ୍ଗିର ଟାଉନ ଆଦର୍ଶ ଥାନା ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ବଲାଙ୍ଗିର ସହର ନିମନ୍ତେ ପ୍ରାୟ ୧ କୋଟି ୩୦ ଲକ୍ଷ ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଡିଜିଟାଲ ମନିଟରିଙ୍ଗ ସିଷ୍ଟମ ଓ ସିସିଟିଭି ସର୍ଭିଲାନ୍ସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏତଦବ୍ୟତୀତ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ଅଭ୍ୟର୍ଥନା ପ୍ରକୋଷ୍ଠ ର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ହେଲେ ବଲାଙ୍ଗିର ସହରବାସୀ ବିଶେଷ ଉପକୃତ ହେବା ସହ ଟ୍ରାଫିକ ନିୟନ୍ତ୍ରଣ ରେ ମଧ୍ୟ ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ସେ ବଲାଙ୍ଗିରର ନୂତନ ବସ ଟର୍ମିନାଲକୁ ପରିଦର୍ଶନରେ ଯାଇ ପରିଚାଳନା ବ୍ୟବସ୍ଥାର ତଦାରଖ କରିବା ସହ ଓଏସଆରଟିସି କର୍ତୃପକ୍ଷ ଏବଂ ପ୍ରାଇଭେଟ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ପରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ଶକ୍ତି କାଫେ ପରିଦର୍ଶନ କରିଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ବଲାଙ୍ଗିର ସହରରେ ଭଲ୍ଟ ଏଗ୍ରୋଟେକ ଦ୍ଵାରା ପରିଚାଳିତ ପାସ୍ତା ପ୍ଳାଣ୍ଟ ପରିଦର୍ଶନ କରିଥିଲେ । ସେଠାରୁ ସେ ବଲାଙ୍ଗିର ସହରରେ ଥିବା ପ୍ରିଣ୍ଟିଙ୍ଗ ଓ ପ୍ୟାକେଜିଂ ୟୁନିଟ ଦେବଶ୍ରୀ ଟ୍ରେଡ଼ର୍ସ ପରିଦର୍ଶନରେ ଯାଇ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନରେ ଯାଇ ଡ୍ୟାମ ଓ ସ୍ପିଳୱେ ନିର୍ମାଣ କାର୍ୟ୍ୟର ଅଗ୍ରଗତି, ବାମ ପାର୍ଶ୍ଵ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ, ଡାହାଣ ପାର୍ଶ୍ଵ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ ତଥା କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ ଓ ସ୍ପିଳୱେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ସନ୍ତୋଷ ପ୍ରକାଶ କରିଥିଲେ । ପରେ ସେ ଲର୍କିପାଳି ସ୍ଥିତ ଆଞ୍ଚଳିକ କୃଷି ସଂପ୍ରସାରଣ ତାଲିମ ପ୍ରତିଷ୍ଠାନକୁ ଯାଇ ସେଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କାର୍ମଶାଳାରେ ଯୋଗଦେଇ ଯୋଜନା ସମ୍ପର୍କରେ ଉପସ୍ଥିତ କୃଷି ଉଦ୍ୟୋଗୀ ମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଧାନ ଚାଷ ବ୍ୟତୀତ ଅନ୍ୟ ଅର୍ଥକାରୀ ଫସଲ କରିବା ସମ୍ପର୍କରେ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସଚେତନ କରିବାକୁ କୃଷି ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କମ ଜମିରେ କିପରି ଅର୍ଥକାରୀ ଫସଲ କରି ଚାଷୀ ମାନେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ମଧ୍ୟ ପରାମର୍ଶ ଦେବାକୁ ସେ କୃଷି ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେ ଏହି ଅବସରରେ ଚାଷୀ ମାନଙ୍କୁ କେବଳ ଧାନ ଚାଷ ନକରି ଅନ୍ୟାନ୍ୟ ଅଣଧାନ ଅଧିକ ଲାଭକାରୀ ଚାଷ କରିବା ଉପରେ ପରାମର୍ଶ ଦେଇଥିଲେ, ଯାହା ଦ୍ୱାରା ଜିଲ୍ଳାର ଚାଷ ଓ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ କ୍ଷ ଚାଷୀ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ନିୟମିତ ତାଲିମ ପ୍ରଦାନ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ଟେରାକୋଟା କାରିଗର ମାନଙ୍କ ସମାବେଶରେ ଯୋଗଦେଇ ସେମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ, ବଜାର ବ୍ୟବସ୍ଥା, ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ପଚାରି ବୁଝିଥିଲେ । ଟେରାକୋଟା କାରିଗର ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରସ୍ତାବିତ ଦକ୍ଷତା ବିକାଶ କେନ୍ଦ୍ରର ପ୍ରସ୍ତାବନା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରାଣା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ ।

Leave A Reply

Your email address will not be published.

twenty + five =