
- ୬୭. ୮୦ କୋଟି ଟଙ୍କା ମୂଲ୍ୟରେ ସର୍ବମୋଟ ୬୫ ଗୋଟି ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ
- ବୁଣାକାର ଓ ଚାଷୀଙ୍କ ଜୀବନ-ଜୀବିକାର ସମୃନ୍ଧି କ୍ଷେତ୍ରରେ ସହାୟକ ହେଉଛନ୍ତି ଲୋକଙ୍କ ସରକାର : ମାନ୍ୟବର ମନ୍ତ୍ରୀ
ବରଗଡ଼, (ମୁନ୍ନା ସାହୁ) : ଆଜି ସ୍ଥାନୀୟ ବେହେରା ବାଲିଜୁରୀ ବୁଣାକାର ବଜାର ପ୍ରାଙ୍ଗଣରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉଦଘାଟନ ଓ ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମୁଦାୟ ୬୭. ୮୦ କୋଟି ଟଙ୍କା ମୂଲ୍ୟରେ ବେହେରା ବାଲିଜୁରୀ ବୁଣାକାର ହାଟର ଉନ୍ନତିକରଣ ସହ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗ ଘରର ଆଧୁନିକୀକରଣ ତଥା ସମ୍ପ୍ରସାରଣ ଏବଂ ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ସଂଗ୍ରହାଳୟର ପ୍ରତିଷ୍ଠା ତଥା ୨ ଗୋଟି ନୂତନ ବିକ୍ରୟ କେନ୍ଦ୍ରର ଉଦ୍ଘାଟନ ସହ ବାଉଁଶ ହସ୍ତଶିଳ୍ପର ୨ ଗୋଟି ସୃଜନିକା ସାଧାରଣ ସୁବିଧା କେନ୍ଦ୍ର ଏବଂ ଆରଏମସି/ପ୍ୟାକ୍ସର ୬୦ ଗୋଟି କୃଷିଭିଭିକ ପ୍ରକଳ୍ପକୁ ମିଶାଇ ସମୁଦାୟ ୬୫ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । ବରଗଡ଼ ଠାରୁ ବେହେରା ବାଲିଜୁରୀ ବଜାର ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲିରେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପରେ ବଜାର ପ୍ରାଙ୍ଗଣରେ ଆୟୋଜିତ ହୋଇଥିବା ବୁଣାକାର ମାନଙ୍କ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିରର ଉଦଘାଟନ କରିବା ସହ ମୋଟ ୬୨ ଜଣ ହସ୍ତଶିଳ୍ପ କାରିଗର ଏବଂ ୨ଜଣ ବୁଣାକାରଙ୍କୁ ଉନ୍ନତ କାରିଗରୀ କିଟ ଓ ପିଟ ଲୁମ ପ୍ରଦାନ କରିବା ପରେ ଦୁଇ ଜଣ ସଫଳ ଚାଷୀ ଏବଂ ଧାନ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୦. ୬୬ ଡେସିବିଲ ନିଜସ୍ୱ ଜମି ଆରଏମସି ବରଗଡ଼ଙ୍କୁ ପ୍ରଦାନ କରିଥିବା ସମଲେଇ ପଦର ଗ୍ରାମର ୫ ଜଣ ଚାଷୀଙ୍କୁ ସମ୍ମାନିତ କରିଥିଲେ । ଏହାପରେ ମନ୍ତ୍ରୀ ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ଓ ବୁଣାକାରଙ୍କୁ ସମ୍ବୋଧିତ କରିବା ସହ ଜିଲ୍ଲର ଉତ୍କୃଷ୍ଟ ବୟନ ଓ ଚଷୀଙ୍କ ଆବଦାନକୁ ପ୍ରଶଂସା କରି ନିଜ ଅଭିଭାଷଣରେ କହିଥିଲେ ଯେ, ଲୋକଙ୍କ ସରକାର ଆପଣମାନଙ୍କ ଶ୍ରମ ଓ କଳାକୁ ସମର୍ଥନ ଜଣାଇଛନ୍ତି । ୨୭ କୋଟି ୫୭ ଲକ୍ଷ ବ୍ୟୟରେ ବିଶ୍ଵସ୍ତରୀୟ ବିପଣନ କେନ୍ଦ୍ର ଭାବେ ବେହେରା-ବାଲିଜୁରୀ ବୁଣାକାର ହାଟର ବିକାଶ କରାଯିବ । ଏହାପରେ ସମ୍ମାନର ସହ ଆମ ବୁଣାକାରମାନେ ବ୍ୟବସାୟ କରିପାରିବେ । ଯାହା ଗ୍ରାମୀଣ ଅର୍ଥନୀତିକୁ ଅଧିକ ଗତିଶୀଳ କରିବା ସହ ସମ୍ବଲପୁରୀ ବାନ୍ଧକଳା ପରମ୍ପରା ଆହୁରି ଅଧିକ ସମୃଦ୍ଧ ହେବ । ପ୍ରତିଟି ବୁଣାକାରଙ୍କ ହାତେ ହାତେ ସେବା, ଘରେ ଘରେ ବିକାଶ ପହଞ୍ଚାଇବା ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ । ୪ କୋଟି ୬୫ ଲକ୍ଷ ବ୍ୟୟରେ ବେହେରା-ବାଲିଜୁରୀ ବୁଣାକାର ହାଟ ସମ୍ମୁଖରେ Apparel Incubation Centre ପ୍ରତିଷ୍ଠା ହେବ । ଏଥିରେ ୨ ଶହରୁ ଅଧିକ ଯୁବଶକ୍ତି ନିଯୁକ୍ତି ପାଇବେ । ଏତଦବ୍ୟତୀତ ନୂତନ କେନ୍ଦ୍ରୀୟ ଡାଏ ହାଉସ୍, ହାଟପଦାଠାରେ ହ୍ୟାଣ୍ଡଲୁମ୍ ସଂଗ୍ରହାଳୟ, ନୃସିଂହନାଥ ମନ୍ଦିର, ପାଇକମାଲ, ଗୋଡ଼ଭଗା ଓ ଅତାବିରାଠାରେ ନୂତନ ମେଗା ସମ୍ବଲପୁରୀ ବସ୍ତ୍ରାଳୟ ବିକ୍ରୟକେନ୍ଦ୍ର ଖୋଲାଯିବ । ଏହା ଦ୍ଵାରା ବୁଣାକାରମାନଙ୍କ ଜୀବନ-ଜୀବିକା ଅଧିକ ସମୃଦ୍ଧ ହେବ । ସୃଜନିକା କ୍ରାଫ୍ଟ କ୍ଲଷ୍ଟର୍ ପ୍ରୋଗ୍ରାମ୍ ଅଧୀନରେ ବାଉଁଶ ହସ୍ତଶିଳ୍ପର ବିକାଶ ପାଇଁ ବରଗାଁ ଓ ବ୍ରାହ୍ମଣଡିହିଠାରେ ଦୁଇଟି ସାଧାରଣ ସୁବିଧା କେନ୍ଦ୍ର ଖୋଲାଯାଇଛି । ଯେଉଁଠି ଢୋକ୍ରା, ଆଦିବାସୀ ଅଳଙ୍କାର, ଟେରାକୋଟା ହସ୍ତଶିଳ୍ପୀଙ୍କୁ ମଧ୍ୟ ଆମେ ଟୁଲ୍ କିଟ୍ ପ୍ରଦାନ କରିଛୁ । ହସ୍ତତନ୍ତ ସହ ହସ୍ତଶିଳ୍ପର ବିକାଶ ପାଇଁ ମଧ୍ୟ ଆମ ସରକାର ସମ୍ପୂର୍ଣ୍ଣ ସମର୍ପିତ । ଆମ ସରକାର ଆସିବା ପରେ ୫୫ରୁ ୬୪କୁ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ସଂଖ୍ୟା ବୃଦ୍ଧି ପାଇଛି । ଏହାଛଡା ବରଗଡ଼ରେ ସମବାୟର ମଧ୍ୟ ଏକ ସମୃଦ୍ଧ ପରମ୍ପରା ରହିଛି ଏବଂ ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ଅଧୀନରେ ଆଣିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ତେଣୁ ଏହି କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ଆଜି ଆରଏମସି ଓ ପ୍ରାଥମିକ କୃଷି ସମବାୟ ସମିତିର ୬୦ଟି ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ବରଗଡ଼ ଜିଲ୍ଲାରେ ସାରର ଚାହିଦାକୁ ଦୃଷ୍ଟିରେ ରଖି ବରଗଡ଼ ସର୍କଲର ୧୧ ଗୋଟି ପ୍ୟାକ୍ସକୁ ନେଇ ବରାହଗୁଡା ମୌଜାରେ ପ୍ରାୟ ୩୦ ଏକର ପରିମିତ ଜମିରେ World’s largest Grain Storage Plan ଅଧୀନରେ ୫୦୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଗୋଦାମ ଗୃହ ନିର୍ମାଣ ସକାଶେ ଅନୁମୋଦନ ମିଳିସାରିଛି । ଏହା ମାଧ୍ୟମରେ ବରଗଡ଼ ଜିଲ୍ଲାରେ ଷ୍ଟୋରେଜ ଜନିତ ସମସ୍ୟାର ସମାଧାନ ହୋଇପାରିବ । ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପ୍ୟାକ୍ସ /ଲ୍ୟାମ୍ପ ଗଠନ ସହ ପ୍ରତ୍ୟେକ ପ୍ୟାକ୍ସ /ଲ୍ୟାମ୍ପସ ଚାଷୀଙ୍କ ସମସ୍ତ ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରିବ । “ସବକା ସାଥ ସବକା ବିକାଶ” ମନ୍ତ୍ରରେ ଅଭିମନ୍ତ୍ରିତ ହେବା ପାଇଁ ମୁଁ ନିବେଦନ କରୁଛି । ସମବାୟ ଋଣ ରିହାତି ସହାୟତାରେ କୃଷକମାନଙ୍କୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ । ୨୦୨୬-୨୭ ଆର୍ଥିକ ବର୍ଷରେ ୩୮ ଲକ୍ଷ ଚାଷୀଙ୍କୁ ୨୧ ହଜାର କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ଫସଲ ଋଣ ପ୍ରଦାନ ବାବଦକୁ ଋଣ ରିହାତି ଯୋଜନାରେ ୧ ହଜାର ୭୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ । ଫସଲ ହାନିରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୫ଶହ କୋଟି ଟଙ୍କାର ପ୍ରସ୍ତାବ ରହିଛି । ତୃଣମୂଳସ୍ତରରେ ଦକ୍ଷତା ଏବଂ ପାରଦର୍ଶିତା ବଢ଼ାଇବା ଲାଗି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ୟକ୍ସ ଓ ଲ୍ୟାମ୍ପସ ଗୁଡିକର କାର୍ଯ୍ୟ ସମ୍ପାଦନ ବାବଦକୁ ୨୦ କୋଟି ଟଙ୍କା ଏବଂ ଭିତ୍ତିଭୂମି ଉନ୍ନତିକରଣ ବାବଦକୁ ୧ ଶହ କୋଟି କୋଟିର ସହାୟତା ପ୍ରଦାନ କରାଯିବ । ଶହେଟି ମଡେଲ ମଣ୍ଡି ପାଇଁ ଶହେ କୋଟି ଟଙ୍କାର ପ୍ରସ୍ତାବ ରହିଛି । ମୋଡେଲ ପ୍ୟାକ୍ସ ଭାବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଲାଉମୁଣ୍ଡା ଏବଂ ବରପାଲି-କଟାପାଲି ପ୍ୟାକ୍ସ କାର୍ଯ୍ୟରତ ଅଛି ଇ ସହଯୋଗ ମାଧ୍ୟମରେ ସମୃଦ୍ଧିର ଆହ୍ୱାନ ନେଇ ଆମେ ନୂଆ ସମବାୟ ନୀତି ଆଣିଛୁ । ଏହା ଆପଣମାନଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବ ବୋଲି ମୁଁ ଆଶା କରୁଛି । ବରଗଡ଼ ଜିଲ୍ଲାର କୃଷକ ବନ୍ଧୁମାନଙ୍କର ଅମୂଲ୍ୟ ଅବଦାନ ପାଇଁ ଗଭୀର ସମ୍ମାନ ଏବଂ କୃତଜ୍ଞତା ଜଣାଉଛି । କୃଷି ଓ କୃଷକର ଉନ୍ନତି ତଥା ଚାଷୀ ବନ୍ଧୁଙ୍କ ଜୀବନ-ଜୀବିକାକୁ ଅଧିକ ସ୍ପନ୍ଦିତ ଓ ଋଦ୍ଧିମନ୍ତ କରିବା ପାଇଁ ଆମ ଡବଲ ଇଞ୍ଜିନ ସରକାର ସଦା ସର୍ବଦା ପ୍ରୟାସ କରୁଛନ୍ତି । ଏହିଅବସରରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ଵିନୀ କୁମାର ଷଡଙ୍ଗୀଙ୍କ ସମେତ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ବରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ, ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ ମନୀଷ ଅଗ୍ରୱାଲ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଉପସ୍ଥିତ ରହି ସମସ୍ତ ବୁଣାକାର ଓ ଚାଷୀଙ୍କୁ ଉତ୍ସାହିତ କରିଥିଲେ ।