jayashree

ଶିଶୁ ପ୍ରତିଭା ଚିହ୍ନିବା ସହ ପ୍ରତିଭାର ସମ୍ମାନ : ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିଶୁଙ୍କୁ ପୁରସ୍କାର ପ୍ରଦାନ ଉତ୍ସବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ବ୍ଲକ ଅନ୍ତର୍ଗତ ଗଡ଼ିଆ ସ୍କୁଲ ଠାରେ ପୁରସ୍କାର ପ୍ରଦାନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ସୀମିତ ନୁହେଁ; ବରଂ ପ୍ରତ୍ୟେକ ଶିଶୁ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ ପ୍ରତିଭାର ବିକାଶ ହିଁ ପ୍ରକୃତ ଶିକ୍ଷାର ଲକ୍ଷ୍ୟ । ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡ଼ିଆଠାରେ ଅକ୍ଟୋବର ମାସରେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଚାରୋଟି ବିଭାଗରେ ଚୟନ କରାଯାଇ ପୁରସ୍କୃତ କରାଯାଇଛି । ଏହି କ୍ରମରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁମନ ବଗର୍ତ୍ତୀ ‘ସବୁଜ ସାଥୀ’, ଚତୁର୍ଥ ଶ୍ରେଣୀର ଛାତ୍ର ଶିବନାରାୟଣ ପୋଢ଼ ‘ ମାସର ଶ୍ରେଷ୍ଠ ବିଦ୍ୟାର୍ଥୀ’, ପ୍ରଥମ ଶ୍ରେଣୀର ଛାତ୍ରୀ ସିମ୍ରନ୍ ବର୍ଗତ୍ତୀ ‘ଉଦୀୟମାନ ତାରକା’ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁନିତା ବର୍ଗତ୍ତୀ ‘ସୃଜନଶୀଳ ଲିଖନ’ ବିଭାଗରେ ଶ୍ରେଷ୍ଠତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି । ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ଲଷ୍ଟର ସଂଯୋଜକ ରଞ୍ଜନ କୁମାର ବୁଡ଼େକ ଯୋଗଦେଇଥିବା ବେଳେ ଅତିଥି ଭାବେ ସରସ୍ୱତୀ ଶିଶୁ ମନ୍ଦିରର ପୂର୍ବତନ ପ୍ରଧାନ ଗୁରୁଜୀ ଲକ୍ଷ୍ମଣ ପ୍ରଧାନ, କଇଁଫୁଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦାର୍ଥ ଝାଙ୍କର ଏବଂ ସାଗରପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ବେହେରା ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଅତିଥିମାନେ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବା, ତାହାର ଯତ୍ନ ନେବା ଏବଂ ନିରନ୍ତର ଅଭ୍ୟାସ ମାଧ୍ୟମରେ ନିଜକୁ ଆହୁରି ଦକ୍ଷ କରିବା ପାଇଁ ପ୍ରେରଣା ଦେଇଥିଲେ । ବିଦ୍ୟାଳୟର ଏହି ଅଭିନବ ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୁସ୍ଥ ପ୍ରତିଯୋଗିତା ଓ ସୃଜନଶୀଳତାର ବିକାଶରେ ସହାୟକ ହେବା ସହ ପ୍ରତ୍ୟେକ ଶିଶୁର ସ୍ୱତନ୍ତ୍ର ଦକ୍ଷତାକୁ ସମ୍ମାନ ଦେବାର ଏକ ସୁନ୍ଦର ପରମ୍ପରା ସୃଷ୍ଟି କରିଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ସଭାପତିତ୍ଵ କରିଥିବା ବେଳେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ମେହେର ଓ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସର୍ବେଶ୍ଵର ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିଲିରାଣୀ ଧରୁଆ ।

Leave A Reply

Your email address will not be published.