ଆତ୍ମହୂତି ଦେବାକୁ ଆସିଥିବା ଦମ୍ପତ୍ତିଙ୍କୁ ଉଠାଇ ନେଲା ପୁଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁଲିସ ଦ୍ୱାରା ନ୍ୟାୟ ନପାଇ ଏକ ଦମ୍ପତ୍ତି ପେଟ୍ରୋଲ ଢାଳି ହୋଇ ଆତ୍ମହୁତି ଦେବାକୁ ଆସିଥିବା ବେଳେ ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ସୂଚନା ଅନୁଯାୟୀ , ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ମୀନାପାଲି ଗାଁର ଜୀବର୍ଦ୍ଧନ ସୁନା ଓ ତାଙ୍କ ପତ୍ନୀ ହାତରେ କିରୋସିନ ଧରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ , ଜମିଜମା ମାମଲାକୁ କେନ୍ଦ୍ର କରି ଗତ ଜୁଲାଇ ମାସରେ ଗାଁର କୁନ୍ତ ସୁନା , ଲୋଚନ ସୁନା , ଚେତନ ସୁନା , ଡାକ୍ତର ସୁନା , କଳାକଦମ ସୁନା ଓ କଳାକାର ସୁନା ପ୍ରମୁଖ ସଂଘବଦ୍ଧ ଭାବେ ଜୀବର୍ଦ୍ଧନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଜବର୍ଦ୍ଧନଙ୍କ ଗୋଟାଏ ଗୋଡ ଭାଙ୍ଗି ଯାଇଛି । ଘଟଣା ପରେ ଜୀବର୍ଦ୍ଧନ ଯାଇ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ । ଜୀବର୍ଦ୍ଧନଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ପ୍ରଥମେ ଟିଟିଲାଗଡ ଡାକ୍ତରଖାନାରେ ପୁଲିସ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ଜୀବର୍ଦ୍ଧନ ବଲାଙ୍ଗୀର ଡାକ୍ତରଖାନା ଓ ପରେ ବୁର୍ଲା ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ସେଠାରେ ସେ ଚିକିତ୍ସିତ ହୋଇ ଫେରିଥିଲେ ମଧ୍ୟ ମାଡ ହୋଇଥିବା ଗୋଡ କାମ କରୁନାହିଁ । ଅପର ପକ୍ଷରେ ପୁଲିସ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିଲେ ମଧ୍ୟ ୩୦୭ ଦଫାରେ ମାମଲା ରୁଜୁ କରିନାହିଁ କିମ୍ବା ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ ବୋଲି ଦମ୍ପତ୍ତି ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଦମ୍ପତ୍ତି ଟିଟିଲାଗଡ ଥାନାକୁ ବାରମ୍ବାର ଦୈଡିଥିଲେ ମଧ୍ୟ ପୁଲିସ କିଛି ଶୁଣୁନାହିଁ । ଏଭଳି କି ଟିଟିଲାଗଡ ଡିଏସପିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ନ୍ୟାୟ ମିଳିପାରିନାହିଁ ବୋଲି ଦମ୍ପତ୍ତି ଅଭିଯୋଗ କରିଛନ୍ତି । ଶେଷରେ ନିରାଶ ହୋଇ ଆମେ ଆତ୍ମହୂତି ଦେବା ପାଇଁ ଚରମ ପନ୍ଥା ବାଛି ନେଇଛୁ ବୋଲି ଦମ୍ପତ୍ତି କହିଛନ୍ତି । ତେବେ ଦମ୍ପତ୍ତିଙ୍କୁ ଆଦର୍ଶ ଥାନା ପୁଲିସ ଉଠାଇ ନେଇ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.