ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବଲାଙ୍ଗିର,(ଦେବାଶିଷ ମିଶ୍ର) – ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହଲେଇ ପଂଚାୟତ ଅନ୍ତର୍ଗତ ପାଣ୍ଡେଳ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହେଉଛି । ଗାଁରେ ହୋଇଥିବା ଅନିୟମିତତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପଂଚାୟତର ନାଏବ ସରପଂଚ ପରିତୋଷ ରଥଙ୍କ ନେତୃତ୍ୱରେ ଆସିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ , ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଉ ନଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଛି । ଏଭଳି କି ଯେଉଁମାନେ ଲାଂଚ ଦେଉଛନ୍ତି ସେମାନଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ପଂଚାୟତର ଜିଓ ଟେଗର ଥିବା ବ୍ୟକ୍ତି ହିଁ ସମସ୍ତ ପ୍ରକାର ଅନିୟମିତତା କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିଜ ମନ ମୁତାବକ ସେ ପଂଚାୟତର ସମସ୍ତ କାର୍ଯ୍ୟକୁ ଓଉଟ ପାଲଟ କରିବା ସହିତ ରାସନ କାର୍ଡ ମଧ୍ୟ ଯୋଗ୍ୟ ଲୋକଙ୍କୁ ପ୍ରଦାନ କରୁନାହାନ୍ତି , ଆବାସ ଘର ତାଲିକାକୁ ମଧ୍ୟ ଏପଟ ସେପଟ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ସବୁଠାରୁ ଗୁରୁତର ଅଭିଯୋଗ ହେଲା ସମ୍ପୃକ୍ତ ଜିଓ ଟେଗର ନିଜେ ଏକ ଅନ୍ତୋଦୟ କାର୍ଡ ହାତେଇଛନ୍ତି । ତେଣୁ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଗୃହ ପ୍ରଦାନ କରାଯାଉ ବୋଲି ଗ୍ରାମାବସୀ ଦାବି କରିଛନ୍ତି । ଆଉ ଏକ ଗୁରୁତର ଘଟଣା ହେଲା ଯେ , ସୁବଳ ଚରଣ ଭୋଇ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ମେସିନରେ ତାଙ୍କର ହାତ କଟି ଯାଇଥିଲା । ତେବେ ସେଠାରେ ତାଙ୍କ କଟା ହାତକୁ ଯୋଡା ଯାଇଥିଲା । କିନ୍ତୁ ସେ ହାତ ଆଉ କାମ କରୁନାହିଁ । ସୁବଳ ମଧ୍ୟ ଆବସ ଯୋଜନା ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କୁ ମଧ୍ୟ ତାଲିକାକୁ ବାଦ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.