
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା(+୨)ର ସୁବିଧା ଆହୁରି ନିକଟତର ହେବାକୁ ଯାଉଛି । ଓଡ଼ିଶାର ମୋଟ ୭୧ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨) ଭାବେ ଉନ୍ନୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ପକ୍ଷରୁ ମଞ୍ଜୁରି ମିଳିଛି । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶିକାଙ୍କ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଅବଗତ କରାଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ମୋଟ ୪ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨)ରେ ଉନ୍ନୀତ କରାଯିବ । କେବଳ ମୁରିବାହାଲ ବ୍ଲକର ୩ଟି ଦେବଙ୍ଗ ଗ୍ରାମର ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ବାଙ୍କେଲ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ତେନ୍ତୁଳିଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨ କଳା)କୁ ଉନ୍ନୀତ କରାଯିବ । ପ୍ରତି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ଓ ଭିତ୍ତିଭୂମି ବିକାଶ ପାଇଁ ବିଦ୍ୟାଳୟ ପିଛା ୧୮୬.୫୩ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳ ମଞ୍ଜୁର ହୋଇଛି । ଏହା ସହିତ ଜିଲ୍ଲାର ଦେଓଗାଁ ବ୍ଲକ ଉପରଝର ସରକାରୀ ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟକୁ (+୨) ବିଜ୍ଞାନରେ ଉନ୍ନୀତ ପାଇଁ ୨୬୨.୦୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି । ମୁରିବାହାଲ ବ୍ଲକରେ ପୂର୍ବରୁ ଲେବଡ଼ା ପାଟଣେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ହଳଦୀ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କଳା)କୁ ଉନ୍ନୀତ କରାଯାଇଛି । ପୂର୍ବରୁ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ହଳଦୀରେ ଥିବା ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମିଶାଇ ଏବେ ବ୍ଲକ ଅଞ୍ଚଳର ମୋଟ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) କଲେଜରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିପାରିବେ । ପୂର୍ବରୁ କଲେଜଗୁଡ଼ିକ ବହୁ ଦୂରଦୂରାନ୍ତ ହୋଇଥିବାରୁ ଉପାନ୍ତ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରେ ପାଠ ଛାଡ଼ିବାକୁ ବାଧ୍ୟ ହେଉଥିଲେ । ଏବେ ନିଜ ଅଞ୍ଚଳରେ ସେମାନେ ଉଚ୍ଚ ଶିକ୍ଷା ଲାଭ କରିପାରିବେ । ବ୍ଲକରେ ନୂତନ ଭାବେ ୩ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବାରୁ ସ୍ଥାନୀୟ ଅଭିଭାବକ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ଏହାକୁ ବିପୁଳ ସ୍ୱାଗତ କରାଯାଇଛି । ପରବର୍ତ୍ତୀ ସମୟରେ ସମସ୍ତ ମାପଦଣ୍ଡ ପୂରଣ କରୁଥିବା ବ୍ଲକର ଗୁଡିଘାଟ, ଇଚ୍ଛାପଡ଼ା, ମାଳିଶିରା, ଗାଁରେଇ, ଚଲକି, କୁର୍ଲୁବାହାଲ ଆଦି ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨)ରେ ଉନ୍ନୀତ କରାଯିବାକୁ ତଥା ବ୍ଲକ ସଦର ମହକୁମାରେ କେବଳ ଗୋଟିଏ +୨ ବିଜ୍ଞାନ ଓ ବାଣିଜ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାରୁ ବ୍ଲକ ଅଞ୍ଚଳରେ ଆହୁରି ଅଧିକ +୨ ବିଜ୍ଞାନ ଓ ବାଣିଜ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବାକୁ ଅଭିଭାବକ ମହଲରୁ ଦୃଢ଼ ଦାବୀ ହେଉଛି ।