ବଲାଙ୍ଗିର, (କେପିଏନ୍ଏସ୍) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା, ବିଭିନ୍ନ ବିଭାଗର କାର୍ଯ୍ୟର ତଦାରଖ ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଧିନସ୍ଥ ବିଭିନ୍ନ ବିଭାଗର ରେଜିଷ୍ଟାର, ନଥିପତ୍ର ଦେଖିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ବୈଠକରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଓ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ । ଜିଲ୍ଲାସ୍ତରୀୟ ତଦାରଖ କମିଟି ବୈଠକ ଅନୁସାରେ ଟାଉନ ପୋଲିସ ଷ୍ଟେସନର ସିସିଟିଭି ବ୍ୟବସ୍ଥା ଦେଖିଥିଲେ । ସିସିଟିଭିର ଦୃଶ୍ୟ ଶ୍ରାବ୍ୟ ମଧ୍ୟ ତଦାରଖ କରିଥିଲେ । ଏହି ପରିଦର୍ଶନ ବେଳେ ସମସ୍ତ ବ୍ୟବସ୍ଥାରେ ସନ୍ତୁଷ୍ଟ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କ ସମେତ ସଦର ଏସ୍ଡିପିଓ ପ୍ରଦୀପ ସାହୁ, ଟାଉନ ଥାନା ଆଇଆଇସି ଅବନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ରାଜସ୍ୱ ନିରୀକ୍ଷକଙ୍କ ନବ ନିର୍ମିତ କାର୍ଯ୍ୟାଳୟ କୋଠା ବୁଲି ଦେଖିଥିଲେ । ଅପରାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ ଅଯୁକ୍ତଙ୍କ ଅଧୀନରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଧାନ କିଣା ବାବଦରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଥିଲେ । ଜିଲ୍ଲାପାଳ ଶ୍ରୀ ଇସଲୱାରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ଏହି ବୈଠକରେ ଉପସ୍ଥିତ ଥିଲେ ।