ବ୍ରଜରାଜନଗରରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

  • କିଶୋର ବାବୁଙ୍କ ସରଳତା ଥିଲା ତାଙ୍କ ବଡ ପରିଚୟ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନ ସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କିଶୋର ବାବୁଙ୍କ ସରଳତା ତାଙ୍କର ବଡ ପରିଚୟ ଥିଲା । ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ସଭାର ବାଚସ୍ପତି ମଧ୍ୟ ହୋଇଥିଲେ । ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ । ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ କହିଲେ ଯେ, ସ୍ୱର୍ଗତ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା । ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନମୂଳକ କାମ କରିଯାଇଛନ୍ତି ।

ବିଧାୟକ ତଥା ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି କହିଲେ ଯେ, ସ୍ୱର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave A Reply

Your email address will not be published.

8 − 5 =

error: Content is protected !!