
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶ୍ରୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତ ପରିଷଦ ତରଫରୁ ଜାମଗାଁ ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ତଥା କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକ ‘କବିତା ପାରିଜାତ’ ଉନ୍ମୋଚିତ ହୋଇଯାଇଛି । ଜିଲ୍ଲା ସଂସ୍କୃତ ପରିଷଦର ସଭାପତି ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଭିମନ୍ୟୁ ମିଶ୍ର ଯୋଗଦେଇ ସାହିତ୍ୟ ଜଗତକୁ ‘କବିତା ପାରିଜାତ’ ପୁସ୍ତକ ଏକ ନୂତନ ସୃଜନାତ୍ମକ ଅବଦାନ ଦେବ ବୋଲି କହିବା ସହ କବିତା ହେଉଛି ମାନବୀୟ ଅନୁଭବ ଓ ଚିନ୍ତନର ସୁନ୍ଦର ଅଭିବ୍ୟକ୍ତି ଏହି ପୁସ୍ତକରେ କବିଙ୍କ ଜୀବନାନୁଭୂତି, ସମାଜ ପ୍ରତି ଦାୟିତ୍ୱବୋଧ ଓ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳେ ବୋଲି କହିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷାବିତ ପଦ୍ମ ଚରଣ ଆଚାର୍ଯ୍ୟ, ନବୀନ ନାୟକ, ନାରାୟଣ ନନ୍ଦ, କରୁଣାକର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିବା ସହ ନିଜ ବକ୍ତବ୍ୟରେ ସାହିତ୍ୟ ସମାଜର ଦର୍ପଣ ବୋଲି କହିବା ସହ ‘କବିତା ପାରିଜାତ’ ପୁସ୍ତକର କବିତା ଗୁଡିକରେ ମାନବୀୟ ମୂଲ୍ୟବୋଧ ଓ ସମାଜ ପ୍ରତି କବିଙ୍କ ସମ୍ବେଦନଶୀଳତା ପ୍ରକାଶ ପାଇଛି ବୋଲି ମତ ପ୍ରକାଶ କରିଥିଲେ । ”କବିତା ପାରିଜାତ” ପୁସ୍ତକରେ କବି ରାଜ କିଶୋର ପଣ୍ଡା ଜୀବନର ବିଭିନ୍ନ ଅନୁଭବ, ସମାଜର ଚିତ୍ର, ମାନବୀୟ ଭାବନା, ପ୍ରକୃତି ଓ ସମସାମୟିକ ଘଟଣାବଳୀକୁ କବିତା ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ସରଳ ଭାଷା, ଭାବର ଗଭୀରତା ଓ ସାମାଜିକ ସଚେତନତା ପୁସ୍ତକଟିର ବିଶେଷତ୍ୱ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ୨୧୮ପୃଷ୍ଠା ସମ୍ମିଳିତ ଏହି କବିତା ପୁସ୍ତକରେ ୧୦୭ଟି କବିତା ସ୍ଥାନ ପାଇଛି । ଶିକ୍ଷକ ନାରାୟଣ ମିଶ୍ର ପୁସ୍ତକ ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ସରୋଜ ନାୟକ କରିଥିବା ବେଳେ କବି ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ପ୍ରେମୀ, ଶିକ୍ଷାବିତ ଓ କବିତା ପ୍ରେମୀ ଉପସ୍ଥିତ ଥିଲେ ।