ପ୍ରତିଷ୍ଠିତ ବନାରସ ସାହିତ୍ୟ ମହୋତ୍ସବରେ ୟସ୍ମିନ୍ ମେହେରଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍ତରପ୍ରଦେଶର ସାଂସ୍କୃତିକ ରାଜଧାନୀ ବାରାଣସୀଠାରେ ଆୟୋଜିତ ପ୍ରତିଷ୍ଠିତ ‘ବନାରସ ଲିଟରେଚର ଫେଷ୍ଟିଭାଲ’ (ବିଏଲ୍‌ଏଫ୍‌)ର ଚତୁର୍ଥ ସଂସ୍କରଣରେ ଓଡ଼ିଶାର ଜଣେ ଉଦୀୟମାନ ପ୍ରତିଭା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭୁବନେଶ୍ୱରର କୃତୀ ସନ୍ତାନ ୟସ୍ମିନ୍ ମେହେରଙ୍କ ଦ୍ୱାରା ଲିଖିତ ପୁସ୍ତକ ‘The Midwife’s Cradle Was Empty’ ଏହି ମହୋତ୍ସବରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । ଅତି ଅଳ୍ପ ବୟସରୁ ଲେଖାଲେଖି ପ୍ରତି ରୁଚି ରଖିଥିବା ୟସ୍ମିନ୍ ମେହେରଙ୍କର ଏହା ହେଉଛି ଚତୁର୍ଥ ପୁସ୍ତକ । ବନାରସ ସାହିତ୍ୟ ମହୋତ୍ସବ ପରି ଏକ ବଡ଼ ମଞ୍ଚରେ ତାଙ୍କର ଏହି କୃତି ଲୋକାର୍ପିତ ହେବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ୟସ୍ମିନଙ୍କ ସୃଜନଶୀଳତା ଓ ସାହିତ୍ୟ ପ୍ରତି ତାଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ । ନିଜର ଅନୁଭୂତି ବାଣ୍ଟି ୟସ୍ମିନ୍ କହିଛନ୍ତି, “ମୁଁ କେବଳ ଲେଖି ଚାଲେ ଏବଂ ଧୀରେ ଧୀରେ ଶବ୍ଦଗୁଡ଼ିକ ଯାଦୁ ପରି ଗଳ୍ପର ରୂପ ନିଅନ୍ତି । ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି କାରଣ ମୋ ବାପା-ମାଆ ମୋତେ ସବୁବେଳେ ଉତ୍ସାହିତ କରିଆସିଛନ୍ତି ।” ଏହି ସଫଳତା ପାଇଁ ଓଡ଼ିଶାର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଜର ଜନ୍ମମାଟି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲିମସେର ହେଇଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରରେ ରହି ଅଧ୍ୟୟନ କରୁଛି । ଝିଅର ଏଭଳି ବଡ଼ ସଫଳତା ଆଗାମୀ ପିଢ଼ିର ଲେଖକ ଓ ଲେଖିକାଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.