
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମରେ ଥିବା ଗ୍ରାମୀଣ ଶିଶୁ ଉଦ୍ୟାନଟି ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ଚିଲଡ୍ରେନ ପାର୍କଟି ନିଜର ସୌନ୍ଦର୍ଯ୍ୟ ହରାଇବା ସହ ଜଙ୍ଗଲ ସଦୃଶ ହୋଇପଡ଼ିଛି । ଶିଶୁମାନଙ୍କ ଖେଳକୁଦ ଓ ମନୋରଞ୍ଜନ ଉଦ୍ଦେଶ୍ୟରେ ନିର୍ମିତ ଏହି ଉଦ୍ୟାନଟି ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ପାର୍କ ପରିସରରେ ଦୀର୍ଘଦିନ ଧରି ନିୟମିତ ସଫେଇ ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଅନାବନା ଘାସ, ଗଛଲତା ଓ ଜଙ୍ଗଲ ବଢ଼ିଯାଇଛି । ଫଳରେ ପାର୍କ ଭିତରକୁ ଯିବା ଓ ଶିଶୁମାନଙ୍କ ଖେଳିବା ପାଇଁ ଘୋର ଅସୁବିଧା ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ରାମରେ ଶିଶୁମାନଙ୍କ ପାଇଁ ଏହା ଏକ ମୁଖ୍ୟ ମନୋରଞ୍ଜନ ସ୍ଥଳ ଭାବେ ରହିଛି । ପାର୍କଟି ସଠିକ୍ ଭାବେ ରକ୍ଷଣାବେକ୍ଷଣ କରାଗଲେ ଶିଶୁମାନେ ଖେଳକୁଦ କରିବା ସହ ବୟସ୍କମାନେ ମଧ୍ୟ ସକାଳ ଓ ସନ୍ଧ୍ୟା ସମୟରେ ଏଠାରେ କିଛି ସମୟ ବିତାଇ ପାରିବେ । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ପାର୍କର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ବସିଛି । ପାର୍କ ପରିସରରେ ବଢ଼ିଥିବା ଅନାବନା ଗଛଲତାକୁ ତୁରନ୍ତ କାଟି ସଫା କରିବା, ଆବର୍ଜନା ହଟାଇବା, ଖେଳ ସାମଗ୍ରୀଗୁଡ଼ିକର ଯାଞ୍ଚ କରି ଆବଶ୍ୟକ ମରାମତି କରିବା ସହ ପାର୍କର ସୌନ୍ଦର୍ଯ୍ୟୀକରଣ ଓ ନିୟମିତ ଭାବେ ଏହାର ରକ୍ଷଣାବେକ୍ଷଣା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।