ହସ୍ତଶିଳ୍ପ କାରିଗରମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ୟମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହସ୍ତଶିଳ୍ପ କାରିଗରମାନଙ୍କୁ ଆତ୍ମ-ନିର୍ଭରଶୀଳ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉଦ୍ୟମ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲରେ ସେମାନେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ, କରିପାରିବେ ଏବଂ ସେଗୁଡିକ ବାହାର ରାଜ୍ୟ ଓ ବିଦେଶରେ ବିକ୍ରିବଟାର ସୁବିଧା ହୋଇ ପାରିଲେ ସେମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ହେବା ସାଂଗକୁ ଜିଲ୍ଲାର କାରୁକାର୍ଯ୍ୟ ସୁଦୂର ପ୍ରସାରୀ ହୋଇ ପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶୁକ୍ରବାର ଅନୁଷ୍ଠିତ ବୈଠକରେ ଉପସ୍ଥାପନା କରିଛନ୍ତି । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପରିଚାଳନା କମିଟିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ ଯେ, ଗଞ୍ଜାମ ଜିଲ୍ଲାର ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ଓ ସହରକୁ ଗମନାଗମନର ସୁବିଧା ରହିଛି । ସମୁଦ୍ରପଥରେ ପଣ୍ୟ କାରବାର ଯଥା ଅନେକ ଜିନିଷ, କଞ୍ଚାମାଲ ସାମଗ୍ରୀ ସଂଗ୍ରହ ହୋଇପରିବାର ସମ୍ଭବ ରହିଛି ଏପରିକି କିଆଫୁଲର ଯଥେଷ୍ଟ ଚାହିଦା ରହିଛି । ଯଦି କିଆପତ୍ର ଓ ଫୁଲ ଦ୍ୱାରା ସେଗୁଡିକର ହସ୍ତଶିଳ୍ପୀମାନଙ୍କ ଦ୍ୱାରା କାରୁକାର୍ଯ୍ୟ କରାଯାଇ ବିକ୍ରି କରାଯାଇ ପାରିବ । ଅନେକ କୁଶଳୀ ଶିଳ୍ପୀଗଣ ଅଧିକ ଲାଭବାନ ହୋଇ ପାରିବେ ବୋଲି ଚିନ୍ତାପ୍ରକଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଉନ୍ନତମାନର ହସ୍ତଶିଳ୍ପ ଉତ୍ପାଦନ ପାଇଁ କାରିଗରୀ କୁଶଳତା ନିତାନ୍ତ ଜରୁରୀ ବୋଲି କୁହାଯାଇଛି । ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ହସ୍ତଶିଳ୍ପ ତାଲିମ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଶିଳ୍ପ ଉନ୍ନୟନ ଯୋଜନା ୨୦୨୨-୨୩ ଆର୍ଥକ ବର୍ଷ ନିମନ୍ତେ ଏମ୍ବରୋଡୋରୀ, ପଟ୍ଟଚିତ୍ର, ଆପ୍ଲିକ, ନଡା କାରୁକାର୍ଯ୍ୟ ପ୍ରଶିକ୍ଷଣ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପଟ୍ଟଚିତ୍ର, ପଥର ଖୋଦେଇ କାରୁକାର୍ଯ୍ୟ, କାଷ୍ଠ କାରୁକାର୍ଯ୍ୟ, ପିତ୍ତଳ କାରୁକାର୍ଯ୍ୟ, ରୂପା କାରୁକାର୍ଯ୍ୟ, ଡୋକ୍ରା-କାରୁକାର୍ଯ୍ୟ ଏହିଭଳି ୪୪ ଗୋଟି କାରୁକାର୍ଯ୍ୟର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କାରୁକାର୍ଯ୍ୟ ଗୁଡିକ ବାହାର ରାଜ୍ୟରେ ଅଧିକ ଦରରେ ବିକ୍ରି ହୋଇ ପାରିଲେ ଶିଳ୍ପୀ ମାନେ ହସ୍ତଶିଳ୍ପ କ୍ଷେତ୍ରରେ ସାମିଲ ହୋଇ ଏଥିପ୍ରତି ଅଧିକ ଆକୃଷ୍ଟ ହେବେ, ବର୍ଷ ତମାମ ସେମାନେ ଏହି କାର୍ଯ୍ୟରେ ନିୟୋଜିତ ହେବେ । ଯାହାଫଳରେ କାରୁକାର୍ଯ୍ୟ ଶିଳ୍ପୀଙ୍କ ସଂଖ୍ୟା ବୃଦ୍ଧି ହେବା ସହିତ ସେମାନେ ଆତ୍ମ-ନିର୍ଭରଶୀଳ ହୋଇ ପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚାଇଥିଲେ । ଏଥି ସକାଶେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ବୈଠକରେ ଓରମାସ୍‌ର ସହକାରୀ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ. ଜ୍ୟୋତି ପ୍ରକାଶ ମହାନ୍ତି, ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ଉମାପତି ବେଣିଆ ବେହେରା, ଲିଡ୍ ବ୍ୟାଙ୍କ ଶାଖା ପରିଚାଳକ ଅଶୋକ କୁମାର ପଣ୍ଡା, ନାବାର୍ଡ ଡିଡିଏମ୍. ଡଃ ଏସ୍. ମିଶ୍ର, ହସ୍ତଶିଳ୍ପୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.