
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଜରାସିଂହା ଭଞ୍ଜ କଳାମଣ୍ଡପରେ ଚାଲିଥିବା ପାଟଖଣ୍ଡା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ମନ୍ଦିର ପୂଜା କାର୍ଯ୍ୟରେ ପାଟଖଣ୍ଡା ଦେବୀଙ୍କ ୩୨ ଦେହେରୀ ସହଯୋଗ କରିଥିଲେ । ମହୋତ୍ସବ ଉଦ୍ଯାପିତ ପରେ ମଙ୍ଗଳବାର ମା’ ପାଟଖଣ୍ଡାଙ୍କ ଶକ୍ତି ସ୍ଥାପନ ହୋଇଥିଲା । ସୋମବାର ଅପରାହ୍ନରେ ଅନୁଷ୍ଠିତ ସାଂସ୍କୃତିକ ସଭାକୁ ପୂର୍ବ ବିଡିସିସି ସଭାପତି ତଥା ପାଟଖଣ୍ଡା ମହୋତ୍ସବ କମିଟି ସଭାପତି ଲକ୍ଷ୍ମଣ ମେହେର ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅର୍ଜୁନ ସାହୁ, ଦିଲୀପ ମେହେର ଓ ପୂର୍ଣ୍ଣିମା ନନ୍ଦ ପରିଚାଳନା କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା । ମଞ୍ଚ ଉପରେ ଅତିଥି ବସିଥିବା ବେଳେ ମଞ୍ଚ ତଳେ ଥିଲେ ଗଦା ଗଦା କଳାକାର । କିଏ ହାତରେ ଝୁମର ଧରିଥିଲା ତ ଆଉ କିଏ ତାଶା ବଜାଉଥିଲା । ସମ୍ବଲପୁରୀ ବାଦ୍ୟ ବାଜିବା ପରେ ନିଜକୁ ସମ୍ଭାଳି ପାରିନଥିଲେ ମଞ୍ଚ ତଳେ ଥିବା ଦେଓଗାଁ ବିଡ଼ିଓ । ସେ ପ୍ରଶାସନିକ ଅଧିକାରୀ ହେଲେ ବି ଜଣେ କଳାକାର ବୋଲି ପ୍ରମାଣିତ କରିଦେଲେ । ହାତରେ ମାଇକ୍ ଧରି ସମଲେଇ ମା’ ଭଜନ ଗାଇଲେ ବିଡ଼ିଓ ପ୍ରିୟ ରଞ୍ଜନ କୁମାର । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ଜରାସିଂହାରେ ଚାଲିଥିବା ପାଟଖଣ୍ଡା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ । ସୋମବାର ଉତ୍ସବର ଶେଷ ରାତିରେ ପାଟଖଣ୍ଡା ମହୋତ୍ସବ କମିଟିର ସଭାପତି ଲକ୍ଷ୍ମଣ ମେହେର ସଭାପରିଚାଳନାରେ ଏକ ସାଂସ୍କୃତିକ ସଭା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୁଲିସ ଏସଡିପିଓ ସରୋଜ ଉପାଧ୍ୟାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ବିଡ଼ିଓ ପ୍ରିୟରଞ୍ଜନ କୁମାର, ବରିଷ୍ଠ କଳାକାର ରବୀନ୍ଦ୍ର ସାହୁ, ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷା ରୀନା ମେହେର, ସାହିତ୍ୟିକ ଉମାଶଙ୍କର ସିଂ, ଜରାସିଂହା ସରପଞ୍ଚ କୁଶମଣି ମେହେର ଯୋଗଦେଇଥିଲେ । ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ତଥା ସାଂସ୍କୃତିକ ଗବେଷକ ଉମାଶଙ୍କର ସିଂ, ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ବରୁଆ ସନ୍ତୋଷ ଥନାପତି, ସରପଞ୍ଚ କୁଶମଣି ମେହେର, ବୁଢ଼ିଆଈ ଦେବୀଙ୍କ ମୁଖ୍ୟ ପୂଜକ ଉଜ୍ୱଳ ଝାଙ୍କର, ବିଏନ୍ଏଏର ସଭାପତି ବୈଲୋଚନ ବଗର୍ତ୍ତି, ସଂପାଦକ ରାଜକିଶୋର ସେଠ, ପ୍ରମୋଦ ସିଂ ନିନା, ସତ୍ୟନାରାୟଣ ପାଣି, ପ୍ରଦୀପ ମହାନ୍ତି, ଚିତ୍ତରଞ୍ଜନ ଥନାପତି, କୈଳାସ କର୍ତ୍ତି, ଭାଗ୍ୟବାନ ମେହେର, ପ୍ରଶାନ୍ତ ଥନାପତି, ବୃନ୍ଦାବନ ଭୋଇ, ଉପେନ୍ଦ୍ର ଥନାପତି, ବୁଲୁ ମେହେର, ମୋହନ ସୁନା, ସନ୍ତୋଷ ଚୌଧୁରୀ, ରାଘବ ନାଗ, କରୁଣାକର ମେହେର, ଅନୁପ ମେହେର ପ୍ରମୁଖ ସହଯୋଗ କରିଥିଲେ ।ନବନିର୍ମିତ ପାଟଖଣ୍ଡା ମନ୍ଦିରରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ମଙ୍ଗଳବାର ଦିନ ଜରାସିଂହା ପାଟଖଣ୍ଡା ମନ୍ଦିରରେ ଶକ୍ତି ସ୍ଥାପନ ପରେ ପୂଜା ଆରମ୍ଭ ହୋଇଛି । ରବିବାର ଅପରାହ୍ନରେ ସୋନଗଡ଼ ନଦୀରୁ ପୂର୍ଣ୍ଣ କଳସ ଯାତ୍ରା ଗାଁ ପରିକ୍ରମା ପରେ ମନ୍ଦିର ପ୍ରତିଷ୍ଠା ପାଇଁ ଅଧିବାସ ଓ ଦେବ ନିମନ୍ତ୍ରଣ ପୂଜା ଆରମ୍ଭ ହୋଇଥିଲା । ସୋମବାର ଦିନ ୩ଜଣ ପଣ୍ଡିତ ଯଥା ପଣ୍ଡିତ ଅସୀତ ତ୍ରିପାଠୀ, ଆଲୋକ ତ୍ରିପାଠୀ ଓ ସାଧୁ ଚରଣ ନାୟକଙ୍କ ଦ୍ୱାରା ସକାଳ ୮ଟା ପୂଜାର ଆରମ୍ଭ, ନୂତନ ମନ୍ଦିର ପ୍ରତିଷ୍ଠା ପୂଜା, ହୋମ ଯଜ୍ଞ ପରେ ଅପରାହ୍ନ ୪ଟା ସମୟରେ କୁମ୍ଭ ସ୍ଥାପନ ହୋଇଥିଲା । ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ମା’ ପାଟଖଣ୍ଡାଙ୍କ ନୂତନ ମନ୍ଦିର ପ୍ରବେଶ ଓ ଶକ୍ତି ସ୍ଥାପନ ପର୍ବ ଶେଷ ହେବା ସହ ମା’ ବୁଢ଼ିଆଈଙ୍କ ଓ ପାଟଖଣ୍ଡାଙ୍କ ପୂଜା ଆରମ୍ଭ ହୋଇଥିଲା । ପୂଜା କର୍ତ୍ତା ଭାବେ ଜମିଦାର ସାମନ୍ତ ଦୁର୍ଗା ପ୍ରସାଦ ସିଂହଦେଓ ଓ ତାଙ୍କ ଧର୍ମପତ୍ନୀ ଅରୁନ୍ଧତୀ ସିଂହଦେଓ ଦାୟିତ୍ୱ ନେଇଥିବା ବେଳେ ପାଟଖଣ୍ଡା ଦେବୀଙ୍କ ୩୨ ଦେହେରୀ ଯଥା ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ବରୁଆ ସନ୍ତୋଷ ଥନାପତି, ବୁଢ଼ିଆଈ ମନ୍ଦିର ମୁଖ୍ୟ ପୂଜକ ଉଜ୍ଜ୍ୱଳ ଝାଙ୍କର, ଜେନା ବୀରପାଏନଙ୍କ ବରୁଆ ବସନ୍ତ ପତ୍ରିମାଲି, ବଡ଼ମଳ୍ଲିକ ନାରାୟଣ ସାହାଣୀ, ପେଠାବାବୁ ଶଙ୍କର ସିଂହବାବୁ, କୁଠୁର୍ଲିଆ ରଘୁମଣି ସାହୁ, ମଶାଲିଆ ଶ୍ରୀବତ୍ସ ସାହୁ, ଦେଶେଇ ମୁଡିଆ ପୁରନ୍ଦର ମଲ୍ଲିକ, ପାଟସିନ୍ଦୁର ଆଣିଯିବା ବରୁଆ ଲିଟି ପତ୍ରୀମାଲି, ନିଶିନିଆଁ ଅଗସ୍ତି କୁମ୍ଭାର, ମହୁରିଆ ଉଷୋ ନାଗ, କୁଢ଼ୁଲିଆ ବୈଶାଖୁ ନାଗ, ୬ଜଣ ବାହାଧରୁ ବେଣୁ ଦଣ୍ଡସେନା, ବୃନ୍ଦା ଦଣ୍ଡସେନା, ମନୋଜ ଦଣ୍ଡସେନା, ଏକଲବ୍ୟ ଦଣ୍ଡସେନା, ସନ୍ତୋଷ ଦିଗାଲ, ସ୍ୱାଗତ ଦିଗାଲ, ୩ ଜଣ ବାରିକ ଦେବୀଙ୍କ ଭୋଗ ପ୍ରସ୍ତୁତକାରୀ ଗଣ୍ଡାରାମ ବାରିକ, ମୋତିରାମ ଦଣ୍ଡସେନା, ଏକାଦଶୀ ନାଏକ, ପେଠାବାବୁଙ୍କ ସହଯୋଗୀ ସେଲମା ଛତ୍ରିଆ, କିଶନ ଛତ୍ରିଆ, ବାହୁକ ବିଷ୍ଣୁ ବାଗ, ଦେହେରୀମାନଙ୍କ ବାଳ ଦାଢ଼ି ଯତ୍ନ ନେବା ଓ କପଡା ସଫା କରିବା ଯଥାକ୍ରମେ ବିକାଶ ପଶାୟତ, ସୂର୍ଯ୍ୟ ସେଠ୍ ଓ କାନ୍ଦୁଲବୁଢ଼ା ଯାତ୍ରା ଅନ୍ୟତମ ମୁଖ୍ୟ ଅମୀତ ସିଂହନିନା ନିମନ୍ତ୍ରିତ ଅତିଥି ଭାବେ ତିନି ଦିନ ଧରି ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ପାରମ୍ପାରିକ ଭାବେ ସହଯୋଗ କରିଥିଲେ। ପାଟଖଣ୍ଡା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜରାସିଂହା ତଥା ଆଖପାଖ ଗାଁର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ନୂଆଁ ମନ୍ଦିରରେ ପାଟଖଣ୍ଡା ଦର୍ଶନ କରି କୃପା ଲାଭ କରିଥିଲେ ।