pakka

ଶୁଲିଆ ମହୋତ୍ସବ ଉଦ୍‌ଯାପିତ : ଅବ୍ୟବସ୍ଥା ଉପରେ ଗର୍ଜିଲେ ରାବଣ ମହାରାଜା

bbehera
  • ଉତ୍ତମ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଦେଲେ ନିର୍ଦ୍ଦେଶ
  • ଶୁଲିଆ ପୀଠର ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନ ସ୍ଥଳୀ ରୂପେ ଗଢିବା ପାଇଁ ଦାବୀ କଲେ ସ୍ମାରକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଶୁଲିଆ ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ରାବଣ ଦରବାରରେ ମହାରାଜ ଜିଲ୍ଲା ପ୍ରଶାସନ ଉପରେ ଖୁବ୍‌ ଗର୍ଜିଥିଲେ । ପ୍ରସିଦ୍ଧ ଶୁଲିଆ ଯାତ୍ରାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କ ପାଇଁ ସୁବନ୍ଦୋବସ୍ତ ହୋଇ ପାରୁ ନାହିଁ । ନିର୍ଭର ପ୍ରତିଶୃତି ସତ୍ୱେ ଶୁଲିଆ ଭକ୍ତମାନଙ୍କ ପାଇଁ ସାଧାରଣ ପିଇବା ପାଣି, ଆମ୍ବୁଲାନ୍ସ ଓ ଟ୍ରାଫିକର ବ୍ୟବସ୍ଥା କରିବାରେ ପ୍ରଶାସନ ଫେଲ୍‌ ମାରିଛି ବୋଲି କହିବା ସହ ଆସନ୍ତା ବର୍ଷ ଜନ ସମସ୍ୟାର ସଠିକ ଆକଳନ କରି ସେସବୁ ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଆଜି ଉଦ୍‌ଯାପନୀ ଉତ୍ସବରେ ରାବଣ ମହାରାଜ ନିଜ ଦରବାରରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବଲାଙ୍ଗିର ଜିଲ୍ଲା କେନ୍ଦ୍ରିୟ ସମବାୟ ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶୁଲିଆ ପୀଠର ସୌନ୍ଦର୍ଯ୍ୟକରଣ କରି ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ବିକଶିତ କରିବା ପାଇଁ ମଞ୍ଚରୁ ଦାବୀ ପ୍ରକାଶ କରିଥିଲେ ।

ତିନି ଦିନ ଧରି ଚାଲିଥିବା ଶୁଲିଆ ମହୋତ୍ସବର ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା କାର୍ଯ୍ୟକ୍ରମ ଥିଲା । ସକାଳୁ ଆଖ ପାଖ ତଥା ରାଜ୍ୟ ବାହାରୁ ହଜାର ହଜାର ଶୁଲିଆ ଭକ୍ତ ଯାତ୍ରାରେ ଯୋଗ ଦେଇଥିଲେ । କିନ୍ତୁ ମୁଖ୍ୟ ରାସ୍ତାରୁ ଶୁଲିଆ ପୀଠକୁ ଯିବାବେଳେ ଲୋକେ ଦିନ ତମାମ ଟ୍ରାଫିକ ଜାମ୍‌ର ଅସୁବିଧା ଭୋଗିଥିଲେ । ଗାଡିମାନଙ୍କ ପାଇଁ ବିଭିନ୍ନ ପାର୍କିଙ୍ଗ୍‌ ଜୋନ୍‌ କରାଯାଇଥିଲେ ସୁଦ୍ଧା ଟ୍ରାଫିକକୁ ବ୍ୟବସ୍ଥିତ କରିବାରେ ପୋଲିସ ଫେଲ୍‌ ମାରିଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ଏହି ଯାତ୍ରାରେ ପ୍ରଶାସନ ତରଫରୁ ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବାରୁ ଶହ ଶହ ଲୋକ ପାଣି ପାଇଁ ହଇରାଣ ହେଉଥିବା ଅଭିଯୋଗ କରିଥିଲେ । ଏ ସଂପର୍କରେ ଆୟୋଜକଙ୍କୁ ପଚରାଯିବାରୁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେବା ପରେ ମଧ୍ୟ ଗୋଟିଏ ବି ପାଣି ଟାଙ୍କି ଶୁଲିଆ ପୀଠକୁ ଦେଇ ନଥିବା କହିଥିଲେ । ସେହିପରି ସ୍ୱାସ୍ଥ୍ୟସେବା ପାଇଁ ପ୍ରଶାସନ ପକ୍ଷରୁ ଜଣେ ମାତ୍ର ଡାକ୍ତରଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଆମ୍ବୁଲାନ୍ସର କୌଣସି ବ୍ୟବସ୍ଥା ନଥିବା ଖୋଦ୍‌ ଡାକ୍ତର ଶ୍ରୀ ସାହୁ କହିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଦେବାଶିଷ ମିଶ୍ର ଓ ବିଭୁ କଲ୍ୟାଣ ଗଡତିଆ ଏସବୁ ଅବ୍ୟବସ୍ଥା ଉପରେ ରାବଣ ଦରବାରରେ ମହାରାଜାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉତ୍ତରରେ ମହାରାଜା ଆଗାମୀ ବର୍ଷ ଜିଲ୍ଲା ପ୍ରଶାସନ ଏସବୁ ଜନ ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶୁଲିଆ ମହୋତ୍ସବ ସମିତିର ସଭାପତି ମୟ ପ୍ରଧାନୀଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଉତ୍କଳ କନ୍ଧ ସମାଜ ସଭାପତି ଚିନ୍ତାମଣୀ ଭୋଇ, କଳାହାଣ୍ଡି ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ପ୍ରଫେସର ଡା. ନାକୁ ହାଁସଦା, ଦୟାନିଧି ଖମାରି, କାନ୍ତେଶ୍ୱର ପ୍ରଧାନ, ବିଶ୍ୱଜିତ ପାତ୍ର, ମହୋତ୍ସବ ସମିତିର ଝସକେତନ କାଲସାଏ, ପ୍ରଭାତ ପାତ୍ର, ମହେନ୍ଦ୍ର ପାଣୀ, ଚତୁର୍ମୁଖ ମେହେର ଓ ପ୍ରତିକ ପ୍ରଧାନ ଶୁଲିଆ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜସ୍ୱ ମତ ରଖିଥିଲେ ।

jay balangir
Leave A Reply

Your email address will not be published.

2 + 16 =