csstore

ବଲାଙ୍ଗିର ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍‌ଘାଟିତ

  • ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସହାୟତା ଦୟା ନୁହେଁ, ଏହା ତାଙ୍କ ସାମ୍ବିଧାନିକ ମୌଳିକ ଅଧିକାର- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟ ଆରମ୍ଭରୁ ସନ୍ଥ କବି ଭୀମ ଭୋଇଙ୍କ ମର୍ମସ୍ପର୍ଶୀ ପଂକ୍ତି ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ପାଠ କରି ଭୀମ ଭୋଇଙ୍କ ବାଣୀକୁ ସମସ୍ତ ଜନ ପ୍ରତିନିଧି ତଥା ସରକାରୀ ଅଧିକାରୀ ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରିପାରିଲେ ସମାଜର ଉନ୍ନତି ସଙ୍ଗେ ସଙ୍ଗେ ଦେଶର ଉନ୍ନତି ମଧ୍ୟ ହେବ ବୋଲି କହିଥିଲେ । ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ପରେ ଡେରି ହେଲେ ମଧ୍ୟ ଏହି ଶିବିର ଅୟୋଜିତ କରାଯାଇଥିବାରୁ ଅୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ । ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସହାୟତା ଦୟା ନୁହଁ, ଏହା ତାଙ୍କର ସାମ୍ବିଧାନିକ ମୌଳିକ ଅଧିକାର । ଏଥିରୁ ଯେମିତି ସେମାନେ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସରକାର ଯତ୍ନବାନ ହେବା ନିହାତି ଆବଶ୍ୟକ । ବଲାଙ୍ଗିର ମେଡିକାଲ କଲେଜକୁ ଶ୍ରୀ ମିଶ୍ରଙ୍କ ଦାବୀ ମୁତାବକ ସରକାର ଭୀମ ଭୋଇଙ୍କ ନାମରେ ନାମିତ କରିଥିବା ଯୋଗୁଁ ଶ୍ରୀ ମିଶ୍ର ସରକାରଙ୍କୁ ଆଉ ଥରେ ଧନ୍ୟବାଦ ଜଣାଇବା ସହ ଦଳମତ ନିର୍ବିଶେଷରେ ସମସ୍ତ ଭିନ୍ନକ୍ଷମ ଯେପରି ତାଙ୍କର ହକ୍‌ ପାଇ ପାରିବେ ସେ ପ୍ରତି ଆମେ ସମସ୍ତେ ଉଦ୍ୟମ କରିବା ଅବଶ୍ୟକ ବୋଲି କହିଥିଲେ । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ, ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ଉଠାନ୍ତୁ ବୋଲି ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ କହିଥିଲେ । ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ସମସ୍ତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଯୋଜନାର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାର୍ଯ୍ୟ ନିର୍ବାହି ଅଧିକାରୀ ସାମି ରେଡ୍ଡି, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୌର ସଂସ୍ଥାର ସମସ୍ତ କାଉନସିଲରଙ୍କ ସମେତ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା ।

jayashree
Leave A Reply

Your email address will not be published.