ଗାନ୍ଧୀ ଷ୍ଟାଡିୟମରେ ସି.କେ. ନାୟଡୁ ଟ୍ରଫି ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ କର୍ଣ୍ଣେଲ ସି.କେ. ନାୟଡୁ ଟ୍ରଫି (୨୩ ବର୍ଷ ବର୍ଗ) କ୍ରିକେଟ ମ୍ୟାଚ୍‌ ଉଦ୍‌ଘାଟିତ ହୋଇଯାଇଛି । ତା.୧୮ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଉକ୍ତ ମ୍ୟାଚ୍‌ର ଆଜି ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ କ୍ରୀଡା ସଂସଦର ବରିଷ୍ଠ ସଭ୍ୟ ତଥା ବଲାଙ୍ଗିରର ପୂର୍ବତନ କ୍ରିକେଟ ସଂଗଠକ ରମେଶ ଚନ୍ଦ୍ର ପୁରୋହିତ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଓଡିଶା ବନାମ ପଞ୍ଜାବ ସି.କେ. ନାଇଡୁ ଟ୍ରଫିର ଉଦ୍‌ଘାଟନୀ ପର୍ବରେ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂ, କ୍ରୀଡା ସଂପାଦକ ବିଭୁତି ପଣ୍ଡା, ଫୁଟବଲ ସଂପାଦକ ହେମନ୍ତ ବେହେରା, ଗ୍ରାମ୍ୟ କ୍ରୀଡା ଓ ମହିଳା ଫେଷ୍ଟିଭାଲ ସଂପାଦକ ସଂଗ୍ରାମ ବହିଦାର, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ବରିଷ୍ଠ ସଭ୍ୟ ତଥା ପୂର୍ବତନ ବିଧାୟକ ରମାକାନ୍ତ ସେଠ, ସଭ୍ୟ ସୁଧିର ପଣ୍ଡା, ଜୟରାମ ମିଶ୍ର, ଶରତ ନନ୍ଦ, କ୍ରିକେଟ କୋଚ ଅରୁଣ ନାୟକ, ପୃଥ୍ୱୀରାଜ ମିଶ୍ର, ସୂର୍ଯ୍ୟ ମିଶ୍ର, ସ୍ୱାଗତ ଶୁଭଙ୍କର ପ୍ରମୁଖ ଉପସ୍ଥିତ ରହି ମ୍ୟାଚ୍‌ ଆୟୋଜନରେ ସହଯୋଗ କରିଥିଲେ । ଆଜି ଟସ୍‌ ଜିଣି ଓଡିଶା ଦଳ ପ୍ରଥମେ ବ୍ୟାଟିଂ କରି ସମୁଦାୟ ୧୦୫ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲେ । ଓଡିଶା ଦଳ ପକ୍ଷରୁ ବିଶ୍ୱ ବିହାରୀ ମୁଦୁଲି ସର୍ବାଧିକ ୩୮ ରନ୍‌, ଅନିଲ ପରିଡା ୧୮ ରନ୍‌ ଓ ସାୱନ ପାହାଡି ୧୬ ରନ୍‌ କରିଥିଲେ । ପଞ୍ଜାବ ଦଳ ପକ୍ଷରୁ ସଫଳ ବୋଲର ଭାବେ କ୍ରିସ୍‌ ଭଗତ, ଇଭନଜ୍ୟୋତି ସିଂ ଚହଲ ଉଭୟେ ୫ ଗୋଟି ୱିକେଟ ଅକ୍ତିୟାର କରିଥିଲେ । ଜବାବରେ ପଞ୍ଜାବ ଦଳ ଆଜି ଷ୍ଟମ୍ପ ଅପସାରଣ ବେଳକୁ ୩ ୱିକେଟ ବିନିମୟରେ ୯୨ ରନ୍‌ ସଂଗ୍ରହ କରିଛନ୍ତି । ପଞ୍ଜାବ ପକ୍ଷରୁ ସଫଳ ବ୍ୟାଟସ୍‌ମ୍ୟାନ ଭାବେ ମୟନ୍ତ ଗୁପ୍ତା ସର୍ବାଧିକ ୩୬ ରନ୍‌ ସଂଗ୍ରହ କରିଥିବା ବେଳେ ପୁଖରାଜ ମାନି ଅପରାଜିତ ୨୧ ରନ୍‌ ଓ ସଲିଲ ଅରୋରା ଅପରାଜିତ ୧୧ ରନ୍‌ ସଂଗ୍ରହ କରିଥିଲେ । ଓଡିଶା ପକ୍ଷରୁ ସଫଳ ବୋଲର ଭାବେ ବାଦଲ ବିଶ୍ୱାଲ ୩ ୱିକେଟ ଅକ୍ତିୟାର କରିଥିଲେ ।

Leave A Reply

Your email address will not be published.

7 − three =