୯ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରାରେ ୯ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ ସରପଂଚ ସଂଘ ଉପସଭାନେତ୍ରୀ କମିରା ସରପଞ୍ଚ ଅନୁଶୟା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଆୟୋଜକ ସଭାପତି ନିର୍ମଳ ମୁଦୁଲିଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସ୍ୱେଚ୍ଛାସେବୀ ଧରଣୀଧର ପାଢୀ, ରାମ ପ୍ରସାଦ କର୍ଣ୍ଣ, ଗଜେନ୍ଦ୍ର ପ୍ରଧାନ, ପୀତାମ୍ବର ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ଟି ଆୟୋଜକ କମିରା ଓ ବୌଦ୍ଧ ମଧ୍ୟରେ ହୋଇଥିଲା । ମ୍ୟାଚ୍‌ଟି ଦୁଇଟି ଫର୍ମାଟରେ ହୋଇଥିଲା । ପ୍ରଥମ ଫର୍ମାଟରେ ବୌଦ୍ଧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୪ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା । ଦଳର ବିଶାଳ ୩୪ ରନ୍‌ କରିଥିଲେ । ଯବାବରେ କମିରା ଦଳ ନିର୍ଦ୍ଧାରିତ ୮ ଓଭରରେ ୮ ଉଇକେଟ ହରାଇ ୪୨ ରନ୍‌ କରିଥିଲା । ଦ୍ୱିତୀୟ ଫର୍ମାଟରେ ବୌଦ୍ଧ ଦଳ ନିର୍ଦ୍ଧାରିତ ୪ ଓଭରରେ ୭୦ ରନ୍‌ କରିଥିଲା । ଦଳର ବିଷ୍ଣୁ ନାଏକ ୧୮ ବଲରେ ୫୯ ରନ୍‌ କରିଥିଲେ । ଯବାବରେ କମିରା ଦଳ ନିର୍ଦ୍ଧାରିତ ୪ ଓଭରରେ ୪୧ ରନ୍‌ କରିଥିଲା । ଉଭୟ ଫର୍ମାଟରେ ବିଜୟୀ ହୋଇ ବୌଦ୍ଧ ଦଳ ୨-୦ରେ ବିଜୟୀ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୌଦ୍ଧର ବିଷ୍ଣୁ ନାଏକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚ୍‌ରେ ଶ୍ରୀନ୍ନିବାସ ପଧାନ ଓ ପପୁନ ଚଉଲିଆ ଅମ୍ପାୟାର, ଶ୍ରୀଦାସ ବାରିକ ସ୍କୋରର ଏବଂ ବୁବୁନ ସାହୁ ଓ ସଚିନ ପଧାନ ଧାରାବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

15 − 9 =