pakka

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ : ପ୍ରଥମ ଦିନରେ ୨୧ଟି ବୁଝାମଣା ପତ୍ର ସ୍ୱାକ୍ଷରିତ

bbehera

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ – ୨୦୨୨କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଗୁରୁବାର ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନରେୱ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦ ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ଜଳଯୋଗରେ ସାମିଲ ହୋଇ ପୁଞ୍ଜିନିବେଶ ସଂପର୍କରେ ଆଲୋଚନା କରିଥିଲେ । ପ୍ରଥମ ଅଧିବେଶନ (ପ୍ଲେନାରୀ ସେସନ୍‌)ରେ ୫୪ ଜଣ ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିବାବେଳେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଅଧିକ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ । ମୋଟ ୧୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା ଅଂଶଗ୍ରହଣ କରିଥିବା ବେଳେ ଏଥିରେ ଜାପାନ୍‌, ଜର୍ମାନୀ, ନରଓ୍ବେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ ଓ ଥାଇଲାଣ୍ଡ ଆଦି ଦେଶ ମଧ୍ୟ ସାମିଲ ହୋଇଛନ୍ତି । ମୋଟ ୨୧ଟି ନିବେଶ ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଉଭୟ ନିବେଶ ଓ ଅଣନିବେଶ କ୍ଷେତ୍ର ମିଶି ମୋଟ ୬୭ଟି ନିବେଶ ପତ୍ର ଗ୍ରହଣ କରାଯାଇଥିଲା । ଏହି ୬୭ଟି କ୍ଷେତ୍ରରୁ ମୋଟ ୫,୮୫,୭୪୨.୨୬ କୋଟି ଟଙ୍କାର ନିବେଶ ପ୍ରତିଶୃତି ମିଳିଛି । ଏଥି ଯୋଗୁଁ ୨ ଲକ୍ଷ ୪୭ ହଜାର ୮୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏତଦ୍‌ବ୍ୟତୀତ ଦେଶର ବିଭିନ୍ନ ସହରରେ ଗତ ୬ ମାସ ମଧ୍ୟରେ ଯେଉଁ ରୋଡ୍‌ ସୋ’ ହୋଇଥିଲା, ତନ୍ମଧ୍ୟରୁ ପ୍ରସ୍ତାବନା ଆସିଥିବା ୭୮ଟି ନିବେଶ ପ୍ରତିଶୃତିକୁ ଗୁରୁବାର ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଛି । ଏଥିରେ ୧ ଲକ୍ଷ ୪୦ ହଜାର ୩୮୬ କୋଟି ୧୯ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା ରହିଛି ଏବଂ ଏହା ଦ୍ୱାରା ୭୨ ହଜାର ୮୪୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଉପରୋକ୍ତ ସମସ୍ତ କ୍ଷେତ୍ରରୁ ମୋଟ ୭,୨୬,୧୨୮.୪୫ କୋଟିର ପୁଞ୍ଜିନିବେଶ ପ୍ରତିଶୃତି ମିଳିଛି ବୋଲି ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

ମେକ୍‌ ଇନ୍‌ ଓଡ଼ିଶା ଦ୍ୱିତୀୟ କାର୍ଯ୍ୟ ଦିବସରେ ସ୍କିଲଡ୍‌ ଇନ୍‌ ଓଡ଼ିଶା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିଇଏସ୍‌, ସିଙ୍ଗାପୁର ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ କେତେକ ଶିଳ୍ପ ଉପରେ ନିର୍ଭର କରୁଥିବା କ୍ଷୁଦ୍ରଶିଳ୍ପ, ଆନୁସଙ୍ଗିକ ଶିଳ୍ପ ଓ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen + nine =