jayashree

ସୂରଜମଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁଇଁତଲା ବ୍ଲକ ସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବ ଅନୁଷ୍ଠିତ

ପୁଇଁତଲା, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ତଥା ଉତ୍ସାହ ବୃଦ୍ଧି ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦିବସର ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ପୁଇଁତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସାଉଁନ୍ତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମାଧବୀଲତା ପଟେଲ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ପିଲାମାନଙ୍କୁ ପାଠପଢ଼ା ସହିତ ସହ-ପାଠ୍ୟକ୍ରମରେ ଭାଗ ନେବାକୁ ପ୍ରେରଣା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉଗ୍ରେସନ ପ୍ରଧାନ ଏବଂ ପୁରାତନ ଛାତ୍ର ସଂସଦର ସଭାପତି ମାୟାଧର ପ୍ରଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଲଛମନ ପ୍ରଧାନ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିନାଥ ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ରୀନାରାଣୀ ସାହୁ, ସମସ୍ତ ସିଆରସିସି, କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ବ୍ଲକର ସମସ୍ତ ଗାଇଡ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦିବସବ୍ୟାପୀ ବିଦ୍ୟାଳୟ ପରିସରରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ଓ କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ପୁଇଁତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ଏକ ଉପଯୁକ୍ତ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକବୃନ୍ଦ ବହୁ ସଂଖ୍ୟାରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.