- ମହିଳାମାନଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରୁଛି ‘ସୁଭଦ୍ରା’ ଯୋଜନା
ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ସରକାରଙ୍କ ତରଫରୁ ରକ୍ଷା ବନ୍ଧନର ଭେଟି ସ୍ଵରୂପ ‘ସୁଭଦ୍ରା’ ଯୋଜନାର ତୃତୀୟ କିସ୍ତି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ସର୍ବବୃହତ ମହିଳା କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ ଯୋଜନାର ତୃତୀୟ କିସ୍ତି ଟଙ୍କା ସିଧାସଳଖ ଭାବେ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରେରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ପାଞ୍ଚ ଜଣ ସୁଭଦ୍ରା ମା’ ସାଗରିକା ଜେନା, ନୁର୍ ଜହାଁ ଖାତୁନ, ଲଳିତା କୁମାରୀ ହାଁସଦା, ସାରଳା ମଲ୍ଲିକ, ଜୟନ୍ତୀ ଦାସ ସେମାନେ ପାଇଥିବା ସୁଭଦ୍ରା ଟଙ୍କାକୁ ବିନିଯୋଗ କରି କିଭଳି ନିଜ ନିଜ କ୍ଷେତ୍ରରେ ସଫଳ ହୋଇଛନ୍ତି ସେ ସମ୍ବନ୍ଧରେ ସୂଚନା ଦେଇଥିଲେ । ଏଥି ସହ ଉପସ୍ଥିତ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପାଇବାକୁ ଥିବା ଅର୍ଥକୁ ସୁବିନିଯୋଗ କରି ସ୍ୱାବଲମ୍ବୀ ହେବା ପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ଉପ ପୌରାୟୁକ୍ତ ବିଶ୍ୱରଞ୍ଜନ ମଲ୍ଲିକ, ଡେପୁଟି କଲେକ୍ଟର ଶ୍ରୀମତୀ ନିବେଦିତା ପ୍ରଧାନଙ୍କ ସହ ତିନୋଟି ସମନ୍ଵିତ ଶିଶୁ ବିକାଶ ଯୋଜନାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆର୍ଏମ୍ସି କର୍ମଚାରୀ ଓ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଏସ୍ଏଚ୍ଜି ମହିଳା ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଉପସ୍ଥିତ ଥିଲେ ।