csstore

ଭବାନୀପାଟଣା – ପୁରୀ ଭାୟା ବଲାଙ୍ଗିର ଟ୍ରେନ ଚାଲୁ : ଜିଲ୍ଲା ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଗୋପବନ୍ଧୁ ପୁରୋହିତ ଅଧିବେଶନର ବିବରଣୀ ପଠନ କରିଥିଲେ ଏବଂ ତାହା ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିଲା । ଆଲୋଚନା କ୍ରମରେ ୨୦୨୨ ଶେଷ ସୁଦ୍ଧା ବଲାଙ୍ଗିର ସୋନପୁର ରେଳ ଚଳାଚଳ ଆରମ୍ଭ କରିବା, ବଲାଙ୍ଗିର ଦେଇ ଭବାନୀପାଟଣାରୁ ପୁରୀକୁ ଏକ ଟ୍ରେନ ଚଳାଚଳର ବ୍ୟବସ୍ଥା କରିବା, ସମତା ଏକ୍ସପ୍ରେସକୁ ବରଗଡ ବଲାଙ୍ଗିର ପର୍ଯ୍ୟନ୍ତ ବଢାଇବା, ରାୟପୁର ସଂପର୍କ କ୍ରାନ୍ତି ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ବଢାଇବା ତଥା ସ୍ଥାନୀୟ ସ୍ତରରେ ବଲାଙ୍ଗିର ମହିମୁଣ୍ଡା ରାସ୍ତାରେ ଥିବା ରେଲୱେ ଅଣ୍ଡର ବ୍ରିଜ ଚଟାଣରେ ଜଳ ଜମା ହୋଇ ନ ରହିବା ପାଇଁ କଂକ୍ରିଟର ବ୍ୟବସ୍ଥା କରିବା ଏବଂ ରାତ୍ରିକାଳୀନ ଚଳାଚଳ ପାଇଁ ସେଠାରେ ଆଲୁଅର ବ୍ୟବସ୍ଥା କରିବା, ବଲାଙ୍ଗିର ଷ୍ଟେସନରେ ଲିପ୍ଟର ବ୍ୟବସ୍ଥା କରିବା ଇତ୍ୟାଦି ଅନେକ ଦାବୀ ସଭ୍ୟମାନେ ଉପସ୍ଥାପନ କରିଥିଲେ । ଏ ନେଇ ଡିଆର୍‌ଏମ୍‌ ଏବଂ ଜିଏମ୍‌ଙ୍କୁ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଗଲା । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ସଭ୍ୟ ଚାନ୍ଦା ସଂଗ୍ରହ ପାଇଁ କେତେକ ସଦସ୍ୟ ଦାୟିତ୍ୱ ନେଲେ । ସଂଘର ଆଗାମୀ ନିର୍ବାଚନ ପରିଚାଳନା କରିବା ପାଇଁ ସଭ୍ୟ ପୀତବାସ ପଣ୍ଡାଙ୍କୁ ନିର୍ବାଚନ ଅଧିକାରୀ ଭାବରେ ସର୍ବସମ୍ମତିକ୍ରମେ ଦାୟିତ୍ୱ ନିଆଗଲା । ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାର, ଉପ-ସଭାପତି ପର୍ଶୁରାମ ନାୟକ, ସହ ସଂପାଦକ ପ୍ରଭାକର ମିଶ୍ର, ସଭ୍ୟ ମନୋରଂଜନ ପୁରୋହିତ, ବୃନ୍ଦାବନ ବରାଳ, ପ୍ରସନ୍ନ କୁମାର ମିଶ୍ର, ଦ୍ୱାରିକା ପ୍ରସାଦ ପଣ୍ଡା ତଥା ରଘୁନାଥ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.