csstore

ଟୋକନ୍‌ ଅବ୍ୟବସ୍ଥାକୁ ନେଇ ସିଏସ୍‌ଓଙ୍କୁ ଦାବୀପତ୍ର ପ୍ରଦାନ କଲା ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଟୋକନ୍‌ ଅବ୍ୟବସ୍ଥାକୁ ନେଇ ସିଏସ୍‌ଓଙ୍କୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯିବା ସହ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଯତି ପଧାନ, ସଂପାଦକ ସୌମେନ୍ଦ୍ର ପରିଚ୍ଛାଙ୍କ ସହ ଅନେକ ଚାଷୀ ଏକତ୍ରୀତ ହୋଇ ସିଏସ୍‌ଓଙ୍କୁ ଭେଟି ଚଳିତ ବର୍ଷର ଟୋକନ୍‌ ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ନେଇ ଆଲୋଚନା କରିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ରେ ଦର୍ଶାଯାଇଥିବା ସମୟ ସୀମାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି, ଯାହାଫଳରେ ଚାଷୀ ନିଜର ଧାନ ସଂରକ୍ଷଣ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବ । ଏପରିକି ଏଭଳି ତ୍ରୁଟି ଯୋଗୁଁ ଚାଷୀକୁ ଧାନ ଅଭାବୀ ବିକ୍ରି କରିବା ପାଇଁ ସରକାର ବାଧ୍ୟ କରିଛନ୍ତି ବୋଲି କୃଷକ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଚଳିତ ଖରିଫ୍‌ ଧାନର ବିକ୍ରି ପାଇଁ ମିଳିଥିବା ଟୋକନ୍‌ରେ ଦର୍ଶାଯାଇଥିବା ସମୟ ସୀମାକୁ ତ୍ୱରାନ୍ୱିତ କରାଯାଇ ଜାନୁଆରୀ ଶେଷ ସୁଦ୍ଧା ମଂଡ଼ିରୁ ଧାନ ଉଠାଇବା ପାଇଁ ଲିଖିତ ଆଦେଶ ପ୍ରଦାନ କରାଯିବାକୁ ଦାବୀ କରାଯାଇଥିବା ବେଳେ ଆଗାମୀ ସାତଦିନ ମଧ୍ୟରେ ଏହି ଦାବୀ ପୂରଣ ନହେଲେ ଜିଲ୍ଲା କୃଷକ ମହାସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

jayashree
Leave A Reply

Your email address will not be published.