୫ଟି ଉପକ୍ରମରେ ନୂଆ ରୂପ ନେବ ମା’ ବୁଢୀ ଠାକୁରାଣୀ ମନ୍ଦିର : ଖର୍ଚ୍ଚ ହେବ ୧୮ କୋଟି

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯିବ । ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀ କେବଳ ଗଞ୍ଜାମ ବା ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ । ମା’ଙ୍କ ପୂଜା ନିମନ୍ତେ ପ୍ରତିଦିନ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି । ତେଣୁ ଭକ୍ତମାନଙ୍କ ସୁବିଧା ତଥା ମନ୍ଦିରର ବିକାଶ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଖ୍ୟ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ । ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ମାର୍ଗ ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ ।

ସେହିପରି ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ହସ୍ତ ପଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା, ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ । ଏହା ସହିତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ହଳ, ପୂଜକମାନଙ୍କ ପାଇଁ ଗୃହ, ମନ୍ଦିର ରୋଷଘର, ଭୋଗମଣ୍ଡପ ମଧ୍ୟ ନିର୍ମାଣ କରାଯିବ । ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକ ସଜ୍ଜା ମଧ୍ୟ କରାଯିବ । ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ, ଜମିର ପ୍ରଶସ୍ତି ସହିତ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ ଟି ସଚିବ ଭି କେ ପାଣ୍ଡିଆନ୍ ନିକଟରେ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶ ସମ୍ପର୍କରେ ପୂଜକ ସ୍ଥାନୀୟ ଜନତା, ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.

eighteen + sixteen =