jayashree

ସରକାରୀ ଚାକିରୀରେ ନିଯୁକ୍ତି ଦେବା ଆଳରେ ଅନ୍-ଲାଇନ୍ ଅର୍ଥ ଠକେଇ ମାମଲାରେ ଜଣେ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ଚାକିରୀରେ ନିଯୁକ୍ତି ଦେବା ଆଳରେ ଅନ୍-ଲାଇନ୍ ଅର୍ଥ ଠକେଇ ମାମଲାରେ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନକୁ ମିଳିଛି ବଡ଼ ସଫଳତା । ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ବଳିଷ୍ଠ ପଦକ୍ଷେପ ଏବଂ ମିଳିତ ସହଯୋଗରେ ଏହି ମାମଲାରେ ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ ନାଡିଆଗାଁ ଅଞ୍ଚଳର ଜଣେ ୪୨ ବର୍ଷର ପୁରୁଷ ପଞ୍ଚାନନ ପଣ୍ଡାଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପଞ୍ଚାନନ ପଣ୍ଡା, ଭୁବନେଶ୍ୱରର ଓଲ୍ଡ ଟାଉନ୍ ଲିଙ୍ଗରାଜ ମନ୍ଦିର ଥାନା ଅନ୍ତର୍ଗତ ସଦଗୁରୁ ନିବାସ, କୋଟିତୀର୍ଥ ଲେନ୍‌ରେ ଭଡ଼ାରେ ରୁହନ୍ତି ଏବଂ ସେ ପ୍ରାୟତଃ ଦୁଇବର୍ଷ ହେଲା ଏଭଳି ଲୋକଙ୍କୁ ଠକେଇ କରିବାରେ ଓସ୍ତାଦ ଥିବା ଜଣାପଡ଼ିଛି । ଅନେକଙ୍କୁ ଆପଏଣ୍ଟ ମେଣ୍ଟ ଅବା ନିଯୁକ୍ତି ଆଦେଶ ପ୍ରମାଣପତ୍ର, ଜୋଇନିଂ ଅର୍ଡର୍ ଆଦି ଦେବା ନାମରେ ଦୈନିକ ଖବରକାଗଜରେ ବିଜ୍ଞାପନ୍ ପ୍ରକାଶ କରି ଲୋକଙ୍କୁ ପ୍ରଲୋଭନ କରି ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗତ ତା ୨୮.୦୬.୨୦୨୫ ରିଖ ଅପରାହ୍ନ ପ୍ରାୟ ୦୪.୩୦ ଘଟିକା ସମୟରେ ଛତ୍ରପୁର ସହରାଞ୍ଚଳର ରାମଲକ୍ଷ୍ମୀ ନଗର ୪ର୍ଥ ଲେନ୍ ବାସିନ୍ଦା ପ୍ରକାଶ କୁମାର ଦାଶଙ୍କ ପୁତ୍ର ଦେବୀପ୍ରସାଦ ଦାଶ (୨୩)ଙ୍କ ଲିଖିତ ଅଭିଯୋଗ ଆଧାରରେ ସ୍ଥାନୀୟ ଛତ୍ରପୁର ବ୍ୟାଙ୍କ (ଏସ.ବି.ଆଇ.)ଛତ୍ରପୁର ଶାଖାରେ ଚାକିରୀରେ ନିଯୁକ୍ତି କରାଇଦେବା ନାମରେ ୫୦ ହଜାର ଟଙ୍କା ଅନ୍-ଲାଇନ୍ ପୈଠ କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଅର୍ଥ ପୈଠ କରିବା ପାଇଁ ଡିମାଣ୍ଡ କରିବା ପରେ ଅଭିଯୋଗକାରୀ ଦେବୀପ୍ରସାଦ ଦାଶ ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥ ଆଦର୍ଶ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା କୁହାଯାଏ । ଉପରୋକ୍ତ ମାମଲା ରୁଜୁ ହୋଇ ଅଧିକା ତଦନ୍ତ କରିବାରେ ଅଭିଯୁକ୍ତ ଠକ ପଞ୍ଚାନନ ପଣ୍ଡାଙ୍କୁ ଗିରଫ୍ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ୍ ବିସିଙ୍କ ଦ୍ଵାରା ଆଗତ ପ୍ରେସମିଟରେ ଗଞ୍ଜାମ ଏସ୍‌ପି ଏହି ବିବୃତ୍ତି ଦେଇଛନ୍ତି । ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ଏସ୍‌ଡିପିଓ ଚନ୍ଦନ ଘଡ଼େଇ ଆଗତ ପ୍ରେସମିଟରେ ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ଅଧିକା ସୂଚନା ତଦନ୍ତ ଜାରୀ ରହିଛି ବୋଲି ଗଞ୍ଜାମ ଏସ୍‌ପି ଶ୍ରୀ ବିସି କହିଛନ୍ତି ।

Leave A Reply

Your email address will not be published.