
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧରେ ଗଜବନ୍ଧ ଓ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ପାଚିକା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୀମଟିକ୍ରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନ୍ଧାରିବାଞ୍ଜି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦ୍ଵାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପାଚିକା ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ପାଚିକା ଯୋଗଦେଇ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଓ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ବିତରଣ ବେଳେ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ହୋଇଥିବା ଆଲୋଚନାରେ ଭାଗ ନେଇଥିଲେ । ତାଲିମ ସମୟରେ ବିଭିନ୍ନ ତଥ୍ୟକୁ ପେନାଲ ବୋର୍ଡ ମାଧ୍ୟମରେ ବିଭିନ୍ନ ଭିଡିଓ ଓ ପ୍ରଣାଳୀ ମାଧ୍ୟମରେ ଅବଗତ କରାଯାଇଥିଲା । ପ୍ରଶିକ୍ଷକ ତଥା ଅନ୍ଧାରିବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ଠାକୁର ଅତିଥି ପରିଚୟ କରିଥିବା ବେଳେ ପ୍ରଶିକ୍ଷକ ତଥା ଗଜବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ କଳାକାହ୍ନୁ ରଣା, ପ୍ରଦୀପ ତରିଆ, ପ୍ରମୋଦ ପଧାନ, ପଦ୍ମାବତୀ ହାତୀ, ଅମୁଲ୍ୟ ଝାଙ୍କର, ସହାୟକ ସୁବାସ ଭୋଇ, କିରଟି ନାଏକ ସହଯୋଗ କରିଥିଲେ ।