jayashree

ସରକାରଙ୍କ ତୃଟିପୂର୍ଣ୍ଣ ଚାଷୀ ପଞ୍ଜିକରଣ ନୀତି

  • ପ୍ରଭାବିତ ହେବ ବଲାଙ୍ଗିର ଜିଲ୍ଲାର ୫୦ ହଜାର ହେକ୍ଟର ଚାଷଜମି, ବାଦ ପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ନୂଆ ସରକାର ଆସିଲା ପରେ ଧାନର ଦର ବଢାଇ ଚାଷୀଙ୍କୁ ଖୁସି ଆଣିଦେଇଥିଲା । କିନ୍ତୁ ଦ୍ୱିତୀୟବର୍ଷଠାରୁ ଧାନକିଣାରେ ବ୍ୟାପକ ଅନିୟମିତତା କରାଗଲା ଯାହାକି ଚାଷୀଙ୍କୁ ହଇରାଣରେ ପକାଇଲା । ଏବେ ଚଳିତ ବର୍ଷ ଖରିଫ ଋତୁର ଧାନବିକ୍ରି ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି । ଯଦିଓ ଅନ୍ୟବର୍ଷ ଜୁଲାଇ ୧୫ ତାରିଖରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଥାଏ କିନ୍ତୁ ଚଳିତବର୍ଷ ଅଗଷ୍ଟ ୭ ତାରିଖରୁ ଏହା ଆରମ୍ଭ ହୋଇଛି । ଧାନବିକ୍ରି ପାଇଁ ଚାଷୀ ପଞ୍ଜିକରଣ ପାଇଁ ଯେଉଁ ଗାଇଡଲାଇନ ଆସିଛି ସେଥିରେ ଚାଷୀମାନେ ବହୁତ ପରିମାଣରେ ହଇରାଣ ହେବେ ବୋଲି ଅଭିଯୋଗ ଉଠିଛି । ଚଳିତବର୍ଷ ଚାଷୀଙ୍କ ପାଇଁ ସରକାର ଏଗ୍ରୀଷ୍ଟାକ ବା ସ୍ୱତନ୍ତ୍ର ଚାଷୀ ପଞ୍ଜିକରଣ କୋର୍ଡ ବ୍ୟବହାର କରାଉଛନ୍ତି । ଏଥିରେ ଯେଉଁ ଲୋକଙ୍କ ନିଜନାମରେ ଚାଷଜମି ଥିବ ସେ ହିଁ ପଞ୍ଜିକୃତ ହୋଇ ଅଗ୍ରୀଷ୍ଟାକ କୋର୍ଡ ପାଇବ । ତେବେ ଅନେକ ପରିବାରର ଅଜା ଓ ବାପା ମାନଙ୍କ ନାମରେ ଜମି ରେକର୍ଡ ରହିଛି । ବନ୍ଦୋବସ୍ତ ହୋଇନଥିବାରୁ ଅନେକ ପରିବାରର ଜମି ଗୁଡିକ ରେକର୍ଡ ପତ୍ରରେ ଭାଗ ହୋଇନାହିଁ । ଏହା ସହିତ ଜମିର କିସମ ମଧ୍ୟ ପରିବର୍ତ୍ତନ ହୋଇନାହିଁ । ସେହି କାରଣରୁ ବଲାଙ୍ଗିର ଜିଲ୍ଲାର ଚାଷୀମାନେ ବେଶି ପରିମାଣରେ ପ୍ରଭାବିତ ହେବେ ବୋଲି ଆଶଂକା କରାଯାଉଛି । ବଲାଙ୍ଗିର ଜିଲ୍ଲାରେ ଗତ ୫୦ବର୍ଷ ହେଲା ଜମିଜମାର ବନ୍ଦୋବସ୍ତ ହୋଇନାହିଁ । ସେଥିପାଇଁ ଅନେକ ପରିବାରରେ ଜମି ଭାଗବଣ୍ଟାରେ ସମସ୍ୟା ରହିଛି । ନିଜ ନିଜ ମଧ୍ୟରେ ଜମି ଭାଗବଣ୍ଟା କରି ଚାଷ କରୁଥିବା ବେଳେ ରେକର୍ଡ ପତ୍ରରେ ଭାଗ ହୋଇପାରିନାହିଁ । ଏହା ସହିତ ପୂର୍ବରୁ ଆଟକିସମ ଓ ବେର୍ଣ୍ଣାକିସମ ରହିଥିବା ଜମି ଏବେ ସଜଡା ହୋଇ ମଧ୍ୟମକିସମ ଧାନ ହୋଇପାରୁଛି । କେବଳ ସେତିକି ନୁହେଁ ଡିପବୋରୱେଲ ଓ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ଉତ୍ତମମାନର ଧାନ ଚାଷ ହୋଇପାରୁଛି । ସରକାର ଉଠା ଜଳସେଚନର ସଫଳତାର କଥା କହୁଛନ୍ତି କିନ୍ତୁ ସରକାର କରିଥିବା ଗାଇଡଲାଇନରେ ଆଟ ଓ ବେର୍ଣ୍ଣାଜମିକୁ ଧାନଚାଷରୁ ବାଦ ଦେବାକୁ ନିୟମ କରିଛନ୍ତି । ରାଜ୍ୟ ସରକାର ଘୋଷଣା କରିଥିବା ଏସଓପିର ୫(ଏଫ)ରେ ଆଟ ଓ ବେର୍ଣ୍ଣାକିସମ ଯାହାକି ଧାନଚାଷ ପାଇଁ ଉପଯୋଗୀ ନୁହେଁ ବୋଲି ବିଚାର କରି ଧାନବିକ୍ରିରେ ପଞ୍ଜିକରଣରୁ ବାଦଦେବାକୁ ନିସ୍ପତ୍ତି କରିଛନ୍ତି । ଯାହାକି ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ପାଇଁ ଅଭିଶାପ ହେବ ବୋଲି ଆଶଂକା କରାଯାଉଛି । ବଲାଙ୍ଗିର ଜିଲ୍ଲାର କୃଷିବିଭାଗର ତଥ୍ୟରୁ ଜଣାପଡିଛି ଯେ, ବଲାଙ୍ଗିର ଜିଲ୍ଲାର ମୋଟ ଚାଷଜମିର ୩୦% ଜମି ଆଟ ଓ ବେର୍ଣ୍ଣାକିସମ ରହିଛି । ଦକ୍ଷିଣ ଓଡିଶା ସମେତ ପଶ୍ଚିମ ଓଡିଶାର ପାହାଡିଆ ଅଞ୍ଚଳରେ ଥିବା ଜିଲ୍ଲାଗୁଡିକରେ ପ୍ରାୟତଃ ଏହି କିସମ ଜମି ବେଶି ପରିମାଣରେ ରହିଛି । ଏବେ ସରକାରଙ୍କ ଏହି ନୀତିରେ ଅନେକଗୁଡିଏ ଜିଲ୍ଲାର ଚାଷୀ ପଞ୍ଜିକରଣରୁ ବାଦ ପଡିବେ । ବଲାଙ୍ଗିର ଜିଲ୍ଲାରେ ମୋଟ ୩ଲକ୍ଷ ୪୬ ହଜାର ହେକ୍ଟର ଚାଷଜମି ରହିଛି । ଏଥରୁ ୧ ଲକ୍ଷ ୭୨ ହଜାର ହେକ୍ଟର ଜମିରେ ଧାନଚାଷ ହେଉଛି । ଏହି ଧାନଚାଷ ଜମିରୁ ପ୍ରାୟ ୫୦ ହଜାର ହେକ୍ଟର ଜମି ହେଉଛି ଆଟ ଓ ବେର୍ଣ୍ଣା କିସମ । ଜିଲ୍ଲାରେ ଥିବା ଉଚ୍ଚଜମି ଯଥା – ଆଟଜମିରେ କପାଚାଷ ହେଉଛି । କିନ୍ତୁ ଅନେକ ସ୍ଥାନରେ ଆଟକୁ ସଜଡାଯାଇ ଧାନଚାଷ ଉପଯୋଗୀ କରାଯାଇ ଧାନଚାଷ କରାଯାଉଛି । ଏହି ଜମିରେ ଭଲ କିସମର ଧାନ ମଧ୍ୟ ଉତ୍ପାଦନ ହେଉଛି । କିନ୍ତୁ ସରକାରଙ୍କ ତୃଟିପୂର୍ଣ୍ଣ ନୀତିରେ ଚାଷୀମାନେ ପଞ୍ଜିକୃତ ହୋଇନପାରି ହଇରାଣ ହେବେ । ଆଟ ଓ ବେର୍ଣ୍ଣାକିସମ ଜମିରେ କୁଆଡେ ସରକାର କୋଳଥ, ମାଣ୍ଡିଆ ଇତ୍ୟାଦି ଚାଷ କରାଇବାକୁ ଯୋଜନା କରୁଛନ୍ତି । ଏଭଳି ହେଲେ ଜିଲ୍ଲାରେ ପ୍ରାୟ ୧୫ଲକ୍ଷ କ୍ୱିଣ୍ଟାଲ ଧାନକିଣା କମିଯିବ । ବଲାଙ୍ଗିର ଜିଲ୍ଲାରେ ଚଳିତବର୍ଷ ଲୋୟର ସୁକତେଲ ପ୍ରକଳ୍ପରୁ ଜିଲ୍ଲାର ବଲାଙ୍ଗିର ସଦର, ଲୋଇସିଂହା ଓ ପୁଇଁତଲା ବ୍ଲକର ୩୦ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ରହିଛି । ଠିକ ସେହିପରି ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ ଇତ୍ୟାଦି ବ୍ଲକ ଅଞ୍ଚଳର ପ୍ରାୟ ୧୬ ହଜାର ହେକ୍ଟର ଜମିକୁ ଖରିଫରେ ଜଳସେଚିତ କରାଯାଉଛି । ଏହି ଜଳସେଚିତ ଅଞ୍ଚଳ ମଧ୍ୟରେ ଆଟ ଓ ବେର୍ଣ୍ଣାକିସମ ଜମି ମଧ୍ୟ ରହିଛି । ତେଣୁ ଏଭଳି ଦେଖିଲେ ଏହି ଦୁଇପ୍ରକଳ୍ପ ସହିତ ଡିପବୋରୱେଲ ଯୋଗେ ହଜାର ହଜାର ହେକ୍ଟର ଜମିକୁ ଜଳସେଚିତ କରି ଧାନଚାଷ କରାଯାଉଛି । ସରକାର ଜିଲ୍ଲାରୁ ଚାଉଳ ଉଠାଇବାରେ ବିଫଳ ହୋଇଥିବାରୁ ଧାନକିଣାରେ କାଟତି କରିବାକୁ ଯୋଜନା କରୁଛନ୍ତି । ସରକାର ନିଜର ଦୋଷ ଢାଙ୍କିବାକୁ ଚାଷୀଙ୍କ ଉପରେ ଦାଉ ସାଧିବାକୁ ଚେଷ୍ଟା କରୁଛି ବୋଲି ବିରୋଧି ବିଜେଡିଦଳ ପକ୍ଷରୁ ଅଭିଯୋଗ ଉଠିଛି । ବିଜେଡି ଦଳର ରାଜ୍ୟ ସଂପାଦକ ବରିଷ୍ଠ ଚାଷୀନେତା ଲକ୍ଷ୍ମଣ କୁମାର ମେହେର କହିଛନ୍ତି ଯେ, ସରକାର ଚାଷୀଙ୍କ ଧାନର ଏମ୍‌ଏସ୍‌ପି ବଢାଇ ଦେଇ ଧାନ କିଣିବାକୁ ଅସମର୍ଥ ହେଉଛନ୍ତି । ଡବଲ ଇଞ୍ଜିନ ସରକାର ଥିଲେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଚାଉଳ ନେଉନାହିଁ । ତେଣୁ ରାଜ୍ୟ ସରକାର ଧାନକିଣାରେ ବିଫଳ ହେଉଥିବା ଜାଣି ଚାଷୀପଞ୍ଜିକରଣକୁ କଠୋର କରି ବିଭ୍ରାନ୍ତ କରୁଛି । ଚାଷୀଙ୍କୁ ହଇରାଣ କରିବା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ନିଜର ବିଫଳତା ଲୁଚାଇବା ବଦଳରେ ଚାଷୀପଞ୍ଜିକରଣକୁ ସରଳୀକରଣ କରି ଚାଷୀଙ୍କୁ ଉଚିତ ସମୟରେ ପଞ୍ଜିକରଣ କରାଇ ଧାନକିଣାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ମେହେର ଏକ ପ୍ରେସବିବୃତିରେ କହିଛନ୍ତି ।

Leave A Reply

Your email address will not be published.