csstore

କୃଷକ ଉତ୍ପାଦକ କମ୍ପାନିଗୁଡିକର ତିନି ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ଗଠିତ ହୋଇଥିବା ୧୭ଟି କୃଷକ ଉତ୍ପାଦକ କମ୍ପାନିର ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ କୃଷକ ଉତ୍ପାଦକ କମ୍ପାନିଗୁଡିକର ତିନି ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉପଉଦ୍ୟାନ କୃଷି ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ ଏବଂ ଜିଲ୍ଲା ଉନ୍ନୟନ ଅଧିକାରୀ ନାବାର୍ଡ ଲକ୍ଷ୍ମଣ କୁମାର ସଏ ମିଳିତ ଭାବରେ ଉଦ୍‌ଘାଟନ କରିଥିଲେ । ଅତିଥିଗଣ ସେମାନଙ୍କ ଉଦ୍‌ଘାଟନୀ ଭାଷଣରେ କହିଥିଲେ କି, ଆଗାମୀ ଦିନରେ କୃଷକ ଉତ୍ପାଦକ କମ୍ପାନି ଏକ ଆନ୍ଦୋଳନରେ ପରିଣତ ହେବାକୁ ଯାଉଛି । କୃଷକ ମାନଙ୍କର ଆୟ ବୃଦ୍ଧି ହେବା ସହିତ ସେମାନେ ଆର୍ଥିକ ଭାବରେ ନିଶ୍ଚୟ ସ୍ୱଚ୍ଛଳ ହେବେ । ଏହି ଲକ୍ଷ୍ୟ ସାଧନ ନିମନ୍ତେ କୃଷକ ଉତ୍ପାଦକ କମ୍ପାନିର ନିର୍ଦେଶକ, ନିର୍ଦେଶିକା, ମୁଖ୍ୟ ନିର୍ବାହୀ ଅଧିକାରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ମନଯୋଗ ସହକାରେ ତାଲିମ ନେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରଥମ ଦିବସ ତାଲିମ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ହୃଷିକେଶ ସାହୁ, ରାଜେନ୍ଦ୍ର ମେହେର କୃଷକ ଉତ୍ପାଦକ କମ୍ପାନି ପରିଚାଳନା ଏବଂ ନଥିପତ୍ର ପ୍ରସ୍ତୁତ ଉପରେ ତାଲିମ ପ୍ରଦାନ କରିଥିବା ବେଳେ ଦ୍ଵିତୀୟାର୍ଦ୍ଧରେ କମ୍ପାନି ସେକ୍ରେଟାରୀ ରଞ୍ଜିତ ମିଶ୍ର ତାଲିମଦାତା ଭାବରେ ଯୋଗଦେଇ କମ୍ପାନି ପରିଚାଳନା ନିମନ୍ତେ ଆବଶ୍ୟକୀୟ ଦସ୍ତାବେଜ, ନିୟମିତ ଅବଧି ଭିତରେ ଦେବାକୁ ଥିବା ବିଭିନ୍ନ ତଥ୍ୟ, କମ୍ପାନି ଆଇନର ବିଭିନ୍ନ ଧାରା ଉପଧାରା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଜାତୀୟ ସ୍ତରର ତାଲିମ ଦାତା ଅବିନାଶ ଦାସ, ମୋହନ ବଳିୟାର ସିଂ ଯୋଗଦେଇ ଦକ୍ଷତା ବୃଦ୍ଧି ଏବଂ ବ୍ୟବସାୟିକ ଯୋଜନା ବିଷୟରେ ତାଲିମ ଦେବେ ବୋଲି ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.