ନୂତନ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚିତ ସଂପର୍କିତ ତାଲିମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ମିଳିତ ଆନୁକୂଲ୍ୟରେ ୨୦୧୯ ବ୍ୟାଚ୍‌ର ନୂତନ ଭାବେ ନିଯୁକ୍ତି ପାଇ ଏକାଡେମୀରେ ତାଲିମ ନେଉଥିବା ୩୧ ଜଣ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚନ ସଂପର୍କରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଏହି ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହୋଇ ଆଗାମୀ ଦିନରେ ହେବାକୁ ତିବର ନିର୍ବାଚନଗୁଡିକୁ ସୁଚାରୁରୂପେ ପରିଚାଳନା କରିବେ ଓ ଏହି ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ ଏବଂ ଏଥିରୁ ସବିଶେଷ ଜ୍ଞାନ ଆହରଣ କରି ଯୁବ ଅଧିକାରୀମାନେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନଗୁଡିକୁ ସୁଚାରୁରୂପେ ପରିଚାଳନା କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଶାବ୍ୟକ୍ତ କରିଛନ୍ତି । ପ୍ରଥମ ଦିନରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ପ୍ରାଥମିକ ଭାବେ ଭୋଟର ତାଲିକାରେ ନାମ ପଞ୍ଜିକରଣ, ଭୋଟ ପଞ୍ଜିକରଣ ଅଧିକାରୀ (ଇଆର୍‌ଓ), ଆସିଷ୍ଟାଣ୍ଟ ଭୋଟ ପଞ୍ଜିକରଣ ଅଧିକାରୀ(ଆସିଷ୍ଟାଣ୍ଟ ଇଆର୍‌ଓ) ଏବଂ ବୁଥ୍‌ ଲେବୁଲ ଅଧିକାରୀ (ବିଏଲ୍‌ଓ)ଙ୍କ କାର୍ଯ୍ୟ ଏବଂ ଭୋଟର ତାଲିକାର ରୂପରେଖ ସଂପର୍କରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ତାଲିମ ପ୍ରଦାନ କରିଥିବା ବେଳେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ନିର୍ବାଚନର ଆଦର୍ଶ ଆଚରଣ ବିଧି, ଅବାଧ, ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପରିଚାଳନା ଏବଂ ନିର୍ବାଚନ ବେଳେ ଗଣମାଧ୍ୟମ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରିଛନ୍ତି । ସେହିପରି ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ନିର୍ବାଚନ ବେଳେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଭୋଟରମାନଙ୍କୁ ନିର୍ବାଚନର ବିଭିନ୍ନ କାର୍ଯ୍ୟ ସଂପର୍କରେ ସଚେତନ କରାଇବା (ଏସ୍‌ଭିଇଇପି) ସୁଇପ୍‌ କାର୍ଯ୍ୟକ୍ରମ ସଂପର୍କରେ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଗତକାଲି ଝାରସୁଗୁଡାର ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ନାମାଙ୍କନ ପତ୍ର ଦାଖଲଠାରୁ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଥିବା ବୈଧାନିକ ନିୟମଗୁଡିକ ସଂପର୍କରେ ତାଲିମ ପ୍ରଦାନ କରିବା ସହ ଝାରସୁଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଦ୍ୟ ସମାପ୍ତ ହୋଇଥିବା ଉପନିର୍ବାଚନ ଅନୁଭୂତି ସଂପର୍କରେ ଯୁବ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ସେହିପରି ଅପରାହ୍ଣରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଓଏସ୍‌ଡି ଭବାନୀ ପ୍ରସାଦ ରାୟ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମାଧ୍ୟମରେ କିପରି ଭୋଟ୍‌ ଗ୍ରହଣ କରାଯାଉଛି ସେ ସଂପର୍କରେ ବିସ୍ତୁତ ତାଲିମ ଦେବେ ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତି, ନିର୍ବାଚନ ପରିଚାଳନା ନିମନ୍ତେ କର୍ମଚାରୀଙ୍କ ତାଲିମ, ଭୋଟ ଗ୍ରହଣ କେନ୍ଦ୍ର, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଯାନ ଓ ଭୋଟ ଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀ ଗୁଡିକ ସଂପର୍କରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଏହି ତାଲିମ କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡାଇରେକ୍ଟର ଜେନେରାଲ ରାଜ କୁମାର ଶର୍ମା ଓ ଅତିରିକ୍ତ କମିଶନର ତଥା କୋର୍ସ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two + 19 =