jayashree

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ

  • ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ବିଦ୍ୟୁତ୍‌ ନଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌ ଏବେ କେବଳ ନାମକୁ ରହିଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ନୀଲିପଡ଼ା ସରକାରୀ ୟୁଜି ହାଇସ୍କୁଲ (ନୂଆ)ରେ ଦୀର୍ଘ ୨୫ ଦିନ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଅଭିଯୋଗ ହୋଇଛି । ଫଳରେ ସ୍ମାର୍ଟବୋର୍ଡ ଭିତ୍ତିକ ପାଠପଢ଼ା ବନ୍ଦ ହୋଇଯିବା ସହ ଖରା ଓ ଗରମରେ ଫ୍ୟାନ୍‌ ଚାଲୁନଥିବାରୁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଶେଷରେ ସେମାନେ ଏକଜୁଟ ହୋଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ, ବିଦ୍ୟାଳୟରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟବୋର୍ଡ ସ୍ଥାପନ କରାଯାଇଛି । କିନ୍ତୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଏହାର କୌଣସି ବ୍ୟବହାର ହେଉନାହିଁ । ଏପରିକି ବିଦ୍ୟୁତ୍‌ ନଥିବାରୁ ଫ୍ୟାନ୍‌ ମଧ୍ୟ ଚାଲୁନଥିବାରୁ ଗରମ ପରିବେଶରେ ପିଲାମାନଙ୍କୁ ପାଠ ପଢ଼ିବାକୁ ପଡ଼ୁଛି । ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବା ଏବଂ ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ବରାଦ ହୋଇନଥିବାରୁ ବିଦ୍ୟାଳୟ ପକ୍ଷରୁ ବିଲ୍‌ ପୈଠ କରାଯାଇପାରୁନଥିବା ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ ପକ୍ଷରୁ କୁହାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ବ୍ୟକ୍ତିଗତ ଅର୍ଥରୁ ବିଦ୍ୟୁତ୍‌ ବିଲ୍‌ ପୈଠ କରିବା ସମ୍ଭବ ନୁହେଁ ବୋଲି ସେ କହିଥିବା ମଧ୍ୟ ଅଭିଯୋଗ ହୋଇଛି । ସମସ୍ୟା ନେଇ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଓ ସେକ୍ସନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ନଜରକୁ ଆସିବା ପରେ ସେ ଏହାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ପୁନର୍ବାହାଲ ସହ ଦାୟିତ୍ୱବହନ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି । ସ୍ମାର୍ଟ କ୍ଲାସ୍‌ରୁମ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସ୍ଥା ହେଉଥିବା ବେଳେ ମାତ୍ର ବିଦ୍ୟୁତ୍‌ ଅଭାବରୁ ଏହା ଅଚଳ ହୋଇପଡ଼ିବା ଘଟଣା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନା ମଧ୍ୟରେ ଥିବା ଫାଟକୁ ସାମ୍ନାକୁ ଆଣିଛି । ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ନ ଦିଆଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.