
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଚଳିତବର୍ଷ ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଏଯାଏ ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପ ପରେ ନିର୍ବାଚନ ପାଇଁ ବାଟ ଫିଟିଛି । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ ପାଇଛି । ଦୀର୍ଘଦିନ ଧରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା । ନିର୍ବାଚନ ନ ହେବାରୁ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ ଛାତ୍ର ନେତୃତ୍ୱ ବିକାଶର ସୁଯୋଗ ସୀମିତ ରହିଥିଲା । ଏବେ ପ୍ରଥମଥର ପାଇଁ ନିର୍ବାଚନ ହେବାକୁ ଯାଉଥିବାରୁ କଲେଜରେ ଛାତ୍ର ପ୍ରତିନିଧିତ୍ୱର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା ବଢ଼ିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ଓ ଘୁ.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଆସୁଥିବା ବେଳେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଏଥିରୁ ବଞ୍ଚିତ ରହିଥିଲା । ତେଣୁ ୪୬ ବର୍ଷ ପରେ ହେବାକୁ ଥିବା ଏହି ପ୍ରଥମ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖା ଦେଇଛି । ମହାବିଦ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର +୩ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଯୋଗ୍ୟ ଛାତ୍ରଛାତ୍ରୀମାନେ ଛାତ୍ର ସଂଘର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢ଼ିପାରିବେ । ଅକ୍ଟୋବର ୮ ତାରିଖରୁ କାର୍ଯ୍ୟ ସମୟ ମଧ୍ୟରେ ନାମାଙ୍କନ ପତ୍ର ଉପଲବ୍ଧ ହେବ । ଆଗ୍ରହୀ ଛାତ୍ରଛାତ୍ରୀମାନେ ପୁରୁଣା ଝଇଗଝ ରୁମ୍ରୁ ବ୍ୟକ୍ତିଗତ ଭାବେ ନାମାଙ୍କନ ଫର୍ମ ସଂଗ୍ରହ କରିପାରିବେ । ନିର୍ବାଚନ ସମ୍ପର୍କିତ ଯେକୌଣସି ସୂଚନା କିମ୍ବା ପ୍ରଶ୍ନ ପାଇଁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କଲେଜ ପକ୍ଷରୁ କୁହାଯାଇଛି । ଇଂରାଜୀ ଅଧ୍ୟାପକ ତେଜେଶ୍ୱର ନାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ବାଣିଜ୍ୟ ଅଧ୍ୟାପକ ସରୋଜ କୁମାର ପାଥି ଓ ପ୍ରାଣୀବିଜ୍ଞାନ ଅଧ୍ୟାପକ ହିମାଂଶୁ ଶେଖର ସାହୁ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଳାଇବେ । ମହାବିଦ୍ୟାଳୟରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ତାରିଖ ଘୋଷଣା ପରେ ମହାବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ଓ ପୁଲିସ ପ୍ରଶାସନର ସହଯୋଗ ଲୋଡ଼ାଯାଇଛି । ୪୬ ବର୍ଷର ଅପେକ୍ଷା ପରେ ହେବାକୁ ଥିବା ଏହି ପ୍ରଥମ ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧିତ୍ୱ ଓ ଗଣତାନ୍ତ୍ରିକ ନେତୃତ୍ୱର ଏକ ନୂଆ ଆରମ୍ଭ ବୋଲି ମତ ପ୍ରକାଶ ପାଇଛି ।