pakka

ଝାରବନ୍ଧରେ ଗ୍ରାମ୍ୟ ଜଙ୍ଗଲ ଭିତରେ ୬ ଲକ୍ଷ ୫୦ ହଜାର ଟଙ୍କାର କାମ ପିସିରେ ଚଳୁ ଅଭିଯୋଗ : ତଦନ୍ତ ହେବ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧରୁ ଶକ୍ତି ଗ୍ରାମକୁ ଯାଇଥିବା ରାସ୍ତା ପାଶ୍ୱରେ ଥିବା ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ଷ୍ଟେଟ ଫାଇନାନ୍ସ କମିଶନ ପାଣ୍ଠିର (ଏସ୍‌ଟିଏଫ) ୬ଲକ୍ଷ ୫୦ ହଜାର ଟଙ୍କାର ଏକ ବନ୍ଧ ନିର୍ମାଣ କାମକୁ ମାତ୍ର ୫୦ ହଜାର କରି ବାକି ୬ ଲକ୍ଷ ଟଙ୍କା ଚଳୁ କରି ପିସି ଭାଗବଣ୍ଟାରେ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ବ୍ଲକ ଦ୍ୱାରା ଗ୍ରାମ୍ୟ ଜଙ୍ଗଲ ଭିତରେ ଖୋଲାଯାଇ ଥିବା ସେହି ବନ୍ଦରୁ ଏକ ପ୍ରତିବାଦ ପଦଯାତ୍ରା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା କରିଥିଲା । ପଦଯାତ୍ରା ପୂର୍ବରୁ ଝାରବନ୍ଧ ବିଡିଓଙ୍କୁ ସେହି ବନ୍ଧ ନିକଟକୁ ଡାକରା ଦିଆଯାଇଥିବା ସୂଚନା ମିଳିଛି । ବିଡିଓ ସୁଶ୍ରୀ ଦମୟନ୍ତୀ ସାହୁ ବନ୍ଧ ନିକଟକୁ ଯାଇ ବନ୍ଧ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଜେଇ ଓ ଅନ୍ୟ ଅଧିକାରୀ ମାନଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ । ପରେ ଯୁବ ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ନିର୍ମିତ ବନ୍ଧ ଠାରୁ ୩ କିମି ପଦଯାତ୍ରାରେ ଯାଇ ବ୍ଲକ ଭିତରେ ଧାରଣାରେ ବସିଥିଲେ । ଧାରଣାସ୍ଥଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଝାରବନ୍ଧ ଆଇଆଇସି ସୁନିଲ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ । ଧାରଣାସ୍ଥଳକୁ କାର୍ଯ୍ୟ କରିଥିବା ବ୍ଲକ ଇଂଜିନିୟର ମାନଙ୍କୁ ଡକା ଯାଇଥିଲେ ମଧ୍ୟ ସମସ୍ତ ଇଂଜିନିୟର ବ୍ଲକରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ପରେ ବିଡିଓ ସୁଶ୍ରୀ ସାହୁ ଓ ଥାନା ଆଇଆଇସି ଶ୍ରୀ ପ୍ରଧାନ ଧାରଣାସ୍ଥଳକୁ ଆସି ଯୁବ ମୋର୍ଚ୍ଚା ଦେଇଥିବା ସମସ୍ତ କାର୍ଯ୍ୟ ଅନିୟମିତା ତଦନ୍ତ କରି ରିପୋର୍ଟ ଦେବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି । ବିଡିଓ ଲିଖିତ ଆକାରରେ ପ୍ରତିଶୃତି ନ ଦେଲେ ଧାରଣା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଯୁବ ମୋର୍ଚ୍ଚା ଘୋଷଣା କରିବା ପରେ ବିଡିଓ ସୁଶ୍ରୀ ସାହୁ ୧୦ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବି ବୋଲି ଲିଖିତ ଆକାରରେ ଧାରଣାସ୍ଥଳରେ ଉପସ୍ଥିତ ଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଚିଠି ପ୍ରଦାନ କରିଥିଲେ । ବନ୍ଧ ନିର୍ମାଣ ବ୍ୟତୀତ କୁର୍ଲୁପାଲି ଗ୍ରାମ ପଞ୍ଚାୟତର ଉରେଇଦାଦରର ଗୋଟିଏ ରାସ୍ତା କାମରେ ପର୍ଯ୍ୟାୟ କ୍ରମେ ୩ ଥର, ୫ଲକ୍ଷ, ୪ଲକ୍ଷ ଓ ୩ଲକ୍ଷ ଟଙ୍କାର ମେଟାଲ ମୁରୁମ କାମକୁ ମିଥ୍ୟା ବିଲ କରି ଉଠାଯାଇଥିବା ଜଣା ପଡିଛି । ହରଡାଟାଲରୁ ଛିନିବାହାଲି ଓ ବଣ୍ତାମୁଣ୍ତା ରାସ୍ତା କାମରେ ୧୮ ଲକ୍ଷ ଟଙ୍କାର ବିଲ ଭାଉଚର କରି ଖାଇ ଦିଆଯାଇଥିବା ଜଣାପଡଢିଛି । ବିନା ପାଇଖାନା ନିର୍ମାଣ କରି ୫ ହଜାର ପାଇଖାନା ଟଙ୍କା ଉଠାଇ ନିଆଯାଇଥିବା ସୂଚନା ମିଳିଛି । ୧୦ ଦିନ ପରେ ଆଉ ବ୍ୟାପକ ଆନ୍ଦୋଳନ ହେବ ବୋଲି ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ସାମନ୍ତ ଶେଖର ମୁନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one × 3 =