ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ : ଅଭିଯୁକ୍ତ ଅଟକ, ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସର ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶୁକ୍ରବାର ଅପରାହ୍ନରେ ନିଜ ବଡ଼ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟାକଲା ସାନ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ମହଗାଁ ଗ୍ରାମରେ । ମୃତ ବ୍ୟକ୍ତିଙ୍କ ନାମ ବେଲାର ରଣା (୫୪) ବୋଲି ଜଣାପଡିଛି । ଘଟଣାସ୍ଥଳରେ ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌, ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ପୋଲିସ ଅଭିଯୁକ୍ତ ସୁନାଧର ରଣା (୪୦)ଙ୍କୁ କାବୁ କରି ଏକ ମାମଲା ରୁଜୁ କରିଛି । ପ୍ରକାଶ ଯେ, ଗତ ସେପ୍ଟେମ୍ବର ମାସରେ ବେଲାର ରଣା ଭାଇଙ୍କ ନାତି (୩)ଙ୍କୁ ସୁନାଧର ରଣା ଏକ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ଟିଟିଲାଗଡ଼ ଜେଲ ଯିବାକୁ ପଡିଥିଲା । ସେ ଗତ ନୂଆଖାଁଇ ସମୟରେ ଜେଲରୁ ବାହାରି ଜିଲ୍ଲା ବାହାରକୁ କାମଧନ୍ଦା କରିବା ପାଇଁ ଯାଇଥିଲେ । ହେଲେ ସେ ଗତ ୮/୧୦ ଦିନ ହେବ ଗାଁକୁ ଫେରିଥିଲେ । ଘଟଣା ଦିନ ଅପରାହ୍ନ ସମୟରେ ମହଗାଁ ୨୬ ଜାତୀୟ ରାଜପଥ ନିକଟସ୍ଥ କୁକୁଡ଼ା ଦୋକାନଠାରେ ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ରରେ ବେଲାରଙ୍କ ଶରୀର ବିଭିନ୍ନ ସ୍ଥାନରେ ହାଣିଥିଲେ । ଘଟଣାସ୍ଥଳରେ ବେଲାର ପଡ଼ିଥିବା ବେଳେ ଘଟଣାର ଖବର ପାଇଁ ପୋଲିସ ପହଂଚି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ବେଲାରଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସୁନାଧରଙ୍କୁ ଅଟକ ରଖି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.

one × 2 =