ହମିରପୁର ଉନ୍ନୟନ ପରିଷଦ ତରଫରୁ ନୂତନ କମିଶନରଙ୍କୁ ସ୍ୱାଗତ ଓ ଦାବିପତ୍ର ପ୍ରଦାନ

ରାଉରକେଲା (ସସ୍ମିତା ପ୍ରଧାନ) : ୨୨ ହଜାର ଜନସଂଖ୍ୟା ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ବିଶିଷ୍ଟ ହମିରପୁର ଗ୍ରାମ ସୁନ୍ଦରଗଡ଼ ଜିଲ୍ଲାର ସର୍ବ ପୁରାତନ ରାଜସ୍ୱ ଗ୍ରାମ । କିନ୍ତୁ ଏବେ ଏହା ଗ୍ରାମ ପଂଚାୟତ କିମ୍ବା ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ନାହିଁ, କିମ୍ବା ରାଉରକେଲା ଇସ୍ପାତ କାରଖାନା ଏହାକୁ କାରଖାନା ପାଶ୍ୱାର୍ଞ୍ଚଳ ହିସାବରେ ନେଉ ନାହିଁ । ଯାହା ଫଳରେ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ସରକାରଙ୍କର ମୌଳିକ ସୁବିଧା ଯଥା ରାସ୍ତାଘାଟ, ଷ୍ଟ୍ରିଟ ଲାଇଟ, ପାଣି ନିଷ୍କାସନ ପାଇଁ ଡ୍ରେନେଜ, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଣ ଆଦିରୁ ବଂଚିତ । ହମିରପୁରର ଜନସାଧାରଣଙ୍କ ଅନୁରୋଧ କ୍ରମେ ଓଡିଶା ସରକାର ରାଉରକେଲା ଇସ୍ପାତ କାରଖାନାରୁ ହମିରପୁର ମେରିଅମ ଛକଠାରେ ଏକ ଜାଗା ନେଇ ମ୍ୟୁନସିପାଲ କର୍ପୋରେସନକୁ ହସ୍ପିଟାଲ ବନାଇବା ପାଇଁ ଦେଇଥିଲେ । ମ୍ୟୁନସିପାଲିଟି ତରଫରୁ କାମ ଆଗେଇ ଚାଲିଥିଲା ବେଳେ ଉକ୍ତ ଜମିର ପୂର୍ବତନ ମାଲିକ ୨୦୧୯ ମସିହାରେ କୋର୍ଟର ଦ୍ୱାରସ୍ଥ ହେବାରୁ କାମ ବନ୍ଦ ହୋଇ ହସ୍ପିଟାଲ ଏକ ଭଡା ଘରେ ଚାଲିଥିଲା । ବାରମ୍ବାର ମ୍ୟୁନସିପାଲିଟି କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ଆଇନଗତ ପଦକ୍ଷେପ ନ ନେବାରୁ ହମିରପୁର ବାସୀଙ୍କର ସ୍ୱାସ୍ଥ୍ୟସେବାକୁ ଅଣଦେଖା କରି ଏହି ପ୍ରାଇମେରୀ ହେଲ୍‌ଥ୍‌ ସେଣ୍ଟର ଦୁଇ ଦିନ ତଳେ ଏଠାରୁ ଅନ୍ୟ ସ୍ଥାନକୁ ଉଠି ଯାଇଛି । ସେଥିପାଇଁ ହମିରପୁର ବାସୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ । ସେଇଭଳି ଗାଁ ଭିତରେ ରାସ୍ତା ନାହିଁ କି ଡ୍ରେନେଜ ସିଷ୍ଟମ ନାହିଁ କିମ୍ବା ଷ୍ଟ୍ରିଟ ଲାଇଟ ମଧ୍ୟ ନାହିଁ । ଗତ ଦୁଇବର୍ଷ ତଳେ ଅମୃତ ଯୋଜନାରେ ଜଳ ଯୋଗାଣ ଆରମ୍ଭ ହୋଇଥିଲେ ମଧ୍ୟ ସବୁ ଘରକୁ ଏହି ସେବା ପହଂଚିପାରି ନାହିଁ । ହମିରପୁର କୌଣସି କର୍ତ୍ତୃପକ୍ଷଙ୍କ ଅଧୀନରେ ନ ଥିବାରୁ ଏଠା ଲୋକମାନେ ସରକାରୀ ସେବା ପାଇବାରୁ ବଂଚିତ । ଏହି ଗ୍ରାମର ଜମିରେ ଇସ୍ପାତ ଜେନେରାଲ ହସ୍ପିଟାଲ, କାରଖାନାର ବରିଷ୍ଠ ଅଧିକାରୀଙ୍କ ବଙ୍ଗଳା, ରାଉରକେଲା ହାଉସ, ଥାନା, ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଆଦି ଗଢି ଉଠିଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ଗ୍ରାମର ଉନ୍ନତି ପାଇଁ ନିଦାବିଷ୍ଣୁ ପାଲଟି ଯାଇ ଏଠାରୁ ଦୂର ସ୍ଥାନମାନଙ୍କରେ ସବୁ ସୁବିଧା ସୁଯୋଗ ଉପଲବ୍ଧ କରାଉଛନ୍ତି । ଇସ୍ପାତ ସହରାଞ୍ଚଳଠାରୁ ମାତ୍ର ପଚାଶ ମିଟର ଓ ମ୍ୟୁନସିପାଲିଟି ଏରିଆଠାରୁ ଦୁଇ କିଲୋମିଟର ଦୂରରେ ଥିଲେ ମଧ୍ୟ ସରକାରଙ୍କ ମୌଳିକ ସୁଖ ସୁବିଧାରୁ ବଂଚିତ ଏଇ ଗ୍ରାମ ସତରେ ଅଭିଶପ୍ତ ଗ୍ରାମ ବୋଲି ପ୍ରତୀୟମାନ ହେଉଛି । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ, ଉପଦେଷ୍ଟା ଡ଼କ୍ଟର ପ୍ରଭାତ ମଲ୍ଲିକ, ଆସିଷ୍ଟାଣ୍ଟ ସେକ୍ରେଟାରୀ ନିରଞ୍ଜନ ନାୟକ ଓ ଅନ୍ୟମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମ୍ୟୁନସିପାଲ କମିଶନର ହିସାବରେ ନୂତନ କରି ଯୋଗ ଦେଇଥିବା ଆଶୁତୋଷ କୁଲକର୍ଣ୍ଣିଙ୍କୁ ରାଉରକେଲାକୁ ସ୍ୱାଗତ କରିବା ସହ ହମିରପୁର ଓ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକର ମୌଳିକ ସୁବିଧା ପ୍ରଦାନ କରାଇବା ପାଇଁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରକାରଙ୍କ ତରଫରୁ ଏ ସବୁ ସୁବିଧା ଆଗାମୀ ଦିନରେ ପ୍ରଦାନ କରା ନ ଯାଏ, ତେବେ ଆଗାମୀ ନିର୍ବାଚନକୁ ଗ୍ରାମବାସୀ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ସୂଚାଇ ଦେଇଛନ୍ତି । କମିଶନର ଏ ଦିଗରେ ଶୀଘ୍ର ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.

18 − 4 =