ସରପଞ୍ଚମାନଙ୍କୁ ସଇଁତଲା ବିଡ଼ିଓଙ୍କ ଅଣଦେଖା ପ୍ରତିବାଦରେ ଦାବିପତ୍ର ପ୍ରଦାନ

  • ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ କାର୍ଯ୍ୟକ୍ରମକୁ ବର୍ଜନ କରିବ : ସରପଞ୍ଚ ସଂଘ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକସ୍ତରୀୟ ସରପଞ୍ଚମାନଙ୍କୁ ସ୍ଥାନୀୟ ବିଡ଼ିଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ଅଣଦେଖା କରୁଥିବା ପ୍ରତିବାଦରେ ସରପଞ୍ଚ ସଂଘଙ୍କ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପହଂଚି ବିଡିଓଙ୍କ ମନମୁଖୀ କାର୍ଯ୍ୟକଳାପ ଚାଲିବ ନାହିଁ ବୋଲି ନାରାବାଜି ଦେଇଥିଲେ । ପରେ ଶୁକ୍ରବାର ସଇଁତଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଶନିବାର ଦିନ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀକୁ ସରପଞ୍ଚ ସଂଘ ବିରୋଧ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି । ଯଦି ଏ ଦିଗରେ ବ୍ଲକ ପ୍ରଶାସନ ତତ୍ପର ନ ହେଲେ ଶନିବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସରପଞ୍ଚ ସଂଘ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଏହି ବ୍ଲକରେ ଶନିବାର ଦିନଠାରୁ ପଞ୍ଚାୟତସ୍ତରୀୟ ପ୍ରଥମ ଓଡ଼ିଆ ଭାଷା ସମ୍ବିଳନୀ ସମାରୋହ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଉକ୍ତ କାର୍ଯ୍ୟକ୍ରମ ଉପରେ ସ୍ଥାନୀୟ ସରପଞ୍ଚମାନଙ୍କୁ ଅଣଦେଖା କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ନୋଟିସ କରିଛନ୍ତି । ଯାହା ଫଳରେ ବ୍ଲକ ସରପଞ୍ଚମାନେ ଏକତ୍ରିତ ହୋଇ ଆଗାମୀ କାର୍ଯ୍ୟକ୍ରମକୁ ବର୍ଜନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏପରିକି ପୂର୍ବରୁ ମଧ୍ୟ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥକୁ ମଧ୍ୟ ସଇଁତଲା ବିଡ଼ିଓ ସମ୍ପୂର୍ଣ୍ଣ ଭାବରେ ସରପଞ୍ଚମାନଙ୍କୁ ଅଣଦେଖା କରିଥିଲେ । ଯାହାଫଳରେ ସରପଞ୍ଚମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଏପରିକି ବିଡ଼ିଓ କାହିଁକି ସରପଞ୍ଚମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରୁ ଦୁରେଇ ରଖୁଛନ୍ତି ବୋଲି ବୃଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଡ଼ିଓଙ୍କ ଏଭଳି ମନମୁଖୀ କାର୍ଯ୍ୟକଳାପଙ୍କୁ ଆଗାମୀ ଦିନ ବରଖାସ୍ତ କରାଯିବ ନାହିଁ ବୋଲି ସରପଞ୍ଚ ସଂଘ ନିନ୍ଦା କରିଛି । ସେହିପରି କିଛି ଦିନ ତଳେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ମଧ୍ୟ ଅଣଦେଖା କରି ବିଡ଼ିଓ କୌଣସି ସରକାରୀ କାର୍ଯ୍ୟକ୍ରମକୁ ସୂଚନା ଦେଉ ନ ଥିବାରୁ ସାମ୍ବାଦିକମାନେ ବିଡ଼ିଓ ଶ୍ରୀ ଭୋଇଙ୍କ ବଦଳି ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ସମୟରେ ସରପଞ୍ଚ ଅନୁରାଧା ସେଠ, କରିଶ୍ମା ନନ୍ଦ, ମାଳତୀ ରଣା, ଅହଲ୍ୟା ସାହୁ, ହେମକାନ୍ତି ସାହୁ, ରାମା ଛତ୍ରିଆ, ଶୈଳେନ୍ଦ୍ରି ମହାନନ୍ଦ, ମନୀଷ ସୁନା, ଅଶୋକ ସାହୁ, ନରେନ୍ଦ୍ର କଲେତ ପ୍ରମୁଖ ସରପଞ୍ଚମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

10 − five =