ପୂରଣ ହେବାକୁ ଯାଉଛି ସହରବାସୀଙ୍କ ବହୁ ବର୍ଷର ସ୍ବପ୍ନ : ସଜେଇ ହେଉଛି ରେଳ ଓଭର ବ୍ରିଜ, ଆସ‌ନ୍ତା କାଲି ଭିଡ଼ିଓ କନ୍‌ଫରେ‌ନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରକୁ ଦୁଇ ଭାଗ କରୁଥିବା ହାଟପଦାପଡ଼ା ସ୍ଥିତ ରେଳବାଇ ଫାଟକ ଉପରେ ଏକ ଓଭର ବ୍ରିଜ ନିର୍ମାଣ ଦାବୀ ନେଇ କେତେ ଆନ୍ଦୋଳନ, କେତେ ଧାରଣା ଘଟି ଯାଇଛି, ତାର ହିସାବ ନାହିିଁ । ରାଜନୀତି ଚକ୍ରବ୍ୟୁହୁରେ ଫଶୀ ରହିଥିବା ଏହି ବହୁ ପ୍ରତୀକ୍ଷିତ ଓଭର ବ୍ରିଜ କାମ ସଂପୂର୍ଣ୍ଣ ହୋଇ ଏବେ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହେବାକୁ ଯାଉଛି । ଏହାକୁ ନେଇ ଟିଟିଲାଗଡବାସୀଙ୍କ ମନରେ ଆନନ୍ଦ ଖେଳି ଉଠିଛି ।

୧୯୮୮-୮୯ ମସିହାରେ ସର୍ବ ପ୍ରଥମେ ଟିଟିଲାଗଡ ଥାନା ଛକ ଠାରେ ପାଖାପାଖି ୧୫ କୋଟି ଟଙ୍କା ଅଟକଳ ବ୍ୟୟ ରଖି ଏକ ଖସଡ଼ା ପ୍ରସ୍ତୁତ କରି ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ଭକ୍ତ ଚରଣ ଦାସ ସର୍ବପ୍ରଥମେ ଭିତ୍ତପ୍ରସ୍ତ ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ କେନ୍ଦ୍ରରେ କଂଗ୍ରେସ ସରକାର ବହୁମତ ନେଇ ଶାସନ ଡୋରି ସମ୍ଭାଳି ଥିଲେ । ସେ ସମୟରେ ବଲାଙ୍ଗିର ଜିଲ୍ଲାର ସାଂସଦ ଭାବରେ ଶରତ ପଟ୍ଟନାୟକ ନିର୍ବାଚିତ ହେବା ପରେ ଦ୍ଵିତୀୟ ଥର ପାଇଁ ଟିଟିଲାଗଡ ଓଭର ବ୍ରିଜ ପାଇଁ ଶିଳାନ୍ୟାସ କରିଥିଲେ । ପରେ ପରେ ଟିଟିଲାଗଡର ଏହି ବହୁ ପ୍ରତୀକ୍ଷିତ ଓଭର ବ୍ରିଜ ପାଇଁ ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ଏମିତିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଶିଳାନ୍ୟାସ କରିଥିଲେ । କେତେବେଳେ ବିଗତ ଦିନର ପୂର୍ତ୍ତ ବିଭାଗ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ତ’ କେତେବେଳେ ବିଗତ ଦିନର ନଗର ଉନ୍ନୟନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶିଳାନ୍ୟାସ କରିଥିଲେ । ପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୩ ମସିହାରେ ଏହି ଓଭର ବ୍ରିଜର ଶିଳାନ୍ୟାସ କରିଥିଲେ । ୨୦୦୮ ମସିହାରେ ପ୍ରଥମେ ଏହି ଓଭର ବ୍ରିଜର କାମ ଆରମ୍ଭ ହୋଇଥିଲା ଓ ୨୦୨୧ ମସିହାରେ ଶେଷ ହୋଇଛି । ଦୀର୍ଘ ୩୦ ବର୍ଷର ଅପେକ୍ଷା ପରେ ଓଭର ବ୍ରିଜଟି ସମ୍ପୂର୍ଣ ହୋଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ମଧ୍ୟରେ ସମନ୍ୱୟ ରଖି ଏକ ଯୋଜନା ପ୍ରସ୍ତୁତ କରି ଉଭୟ ସରକାରଙ୍କ ଅନୁଦାନରେ ଓଭର ବ୍ରିଜ ପ୍ରକଳ୍ପଟି ସମ୍ପୂର୍ଣ ହୋଇ ଆସ‌ନ୍ତା କାଲି ଏହି ଓଭର ବ୍ରିଜକୁ ଲୋକାର୍ପଣ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଲାଗି ପଡ଼ିଛି । ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ରିଜକୁ ଟିଟିଲାଗଡବାସୀଙ୍କ ପାଇଁ ଲୋକାର୍ପଣ କରିବାକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି । ଟିଟିଲାଗଡ ଥାନା ଛକ ଠାରୁ ଆରମ୍ଭ ହୋଇ ଡିଏଭି କଲେଜ ଖେଳ ପଡିଆ ନିକଟରେ ଶେଷ ହୋଇଥିବା ଏହି ଓଭର ବ୍ରିଜଟି ଦୀର୍ଘ ଏକ କିଲୋମିଟର ଯାଏ ଲଂବି ରହିଛି । ପ୍ରଥମ ପର୍ୟ୍ୟାୟରେ ଏହି ବ୍ରିଜଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଉଭୟ ୭ କୋଟି ଟଙ୍କା ବ୍ୟୟ ଅଟକଳ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଓ ଭାରତୀୟ ରେଳର ମିଳିତ ସହଯୋଗରେ ୭୧.୫୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ରେଳ ଓଭର୍‌ ବ୍ରିଜ୍‌ । ଏହି ୭୧.୫୯ କୋଟି ମଧ୍ୟରେ ରାଜ୍ୟ ସରକାରଙ୍କ ଅଂଶ ୩୮.୪୩ କୋଟି ଏବଂ ଭାରତୀୟ ରେଳ ବିଭାଗର ୩୩.୧୬ କୋଟି ଅଂଶଧନ ଅନ୍ତର୍ଭୁକ୍ତ । ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଆପ୍ରାଣ ଚେଷ୍ଟା ବଳରେ ବହୁ ବାଧାବିଘ୍ନକୁ ଅତିକ୍ରମ କରି ସଂପୂର୍ଣ୍ଣ ହୋଇଥିବା ଟିଟିଲାଗଡବାସୀଙ୍କ ବହୁ ଦିନର ସ୍ବପ୍ନ ରେଳ ଓଭର ବ୍ରିଜ ନିର୍ମାଣ କାର୍ୟ୍ୟ ଶେଷ ହୋଇ ଉଦ୍ଘାଟନ ହେବାକୁ ଯାଉଛି । ଏହି ଉଦ୍ଘାଟନୀ ସମାରୋହକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଲାଗି ପଡ଼ିଥିବା ବେଳେ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଘନ ଘନ ସମୀକ୍ଷା କରୁଛନ୍ତି । ବ୍ରିଜଟି ବିଭିନ୍ନ ପ୍ରକାର ସମ୍ବଲପୁରୀ ସାଂସ୍କୃତିକ କଳାରେ ରଙ୍ଗେଇ ହୋଇ ସାଜସଜା ହୋଇ ଉଦ୍ଘାଟନୀ ସମାରୋହକୁ ଅପେକ୍ଷା କରି ରହିଛି । ଟିଟିଲାଗଡ ସହରବାସୀ ମୁଖ୍ୟମନ୍ତ୍ରୀ ଓ ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.