ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢି ତୋଳିବାକୁ ଆଉ ଏକ ସ୍ୱାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି : ସୁନ୍ଦରଗଡ ଜିଲ୍ଲା କମିଟି

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତବର୍ଷ ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲା ତରଫରୁ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଦେଇ ଆଜି ଉଦ୍‌ଯାପିତ ହୋଇଛି । ଏହି ଉପଲକ୍ଷେ ସେକ୍ଟର ୬ ବସ୍ତିଆ ମେମୋରିଆଲ ହଲ ଠାରେ ଏକ ଉଦ୍‌ଯାପନୀ ସମାରୋହ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଏନ୍‌ଆଇଟି ପ୍ରଫେସର ଡଃ. ରାମକୃଷ୍ଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଏନ୍‌ଆଇଟି ଇଲେକ୍ଟ୍ରିକାଲ ବିଭାଗର ସହକାରୀ ପ୍ରଫେସର ଡଃ. ସୁପ୍ରତିମ ନାୟକ, ସମ୍ମାନୀୟ ଅତିଥି ସେକ୍ଟର ୧୬ ଡିଏଭି ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌର ଏବଂ ଏଆଇଏମ୍‌ଏସ୍‌ଏସ୍ ରାଜ୍ୟ ସମ୍ପାଦିକା ସ୍ୱୟଂପ୍ରଭା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ନେତାଜୀଙ୍କ ଫଟୋଚିତ୍ରରେ ଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ ପରେ ଏକ ଶପଥପାଠ କରାଯାଇଥିଲା । ନେତାଜୀଙ୍କ ଜୀବନ ସଂଗ୍ରାମ ଉପରେ ଆଲୋଚନା କରି ଆଜିକାର ଦେଶର ପରିସ୍ଥିତିର ପଟ୍ଟଭୂମିରେ ନେତାଜୀଙ୍କ ଅପୁରିତ ସ୍ୱପ୍ନକୁ ସାକାର କରିବା ପାଇଁ ଛାତ୍ର-ଯୁବ ସମାଜ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ନେତାଜୀ ଖାଲି ସାଧାରଣ ନେତା ନଥିଲେ, ସେ ଏକା ଧାରରେ ଜଣେ ଅର୍ଥନୀତିବିଦ୍‌, ରାଜନୀତିବିଦ୍ ଓ ଉଚ୍ଚ ଆଦର୍ଶସମ୍ପନ୍ନ ଦାର୍ଶନିକ ମଧ୍ୟ ଥିଲେ ବୋଲି ମୁଖ୍ୟବକ୍ତା କହିଥିଲେ । ପ୍ରକୃତ ଧର୍ମନିରପେକ୍ଷତାର ପ୍ରତୀକ ଥିଲେ ନେତାଜୀ । ଅନ୍ୟମାନଙ୍କ ମଧ୍ୟରେ ଡ଼. ସୁପ୍ରତିମ ନାୟକ ଓ ଶ୍ରୀମତୀ ଯଶବିନ୍ଦର କୌର ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ଗତ ୮ ତାରିଖରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ମୋଟ ୬୨ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରଯାଇଥିଲା । ଏଥିରେ କମିଟିର ଉପସଭାପତି ଗଗନ ବିହାରୀ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ କମିଟିର ସମ୍ପାଦକ ଆଲୋକ ବେହେରା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । କମିଟିର ସର୍ବଶ୍ରୀ ଧୋବେଇ ବେହେରା, ଶେଖ ଇସଲାମ, ସୁବାଷ ଦଣ୍ଡପାଟ, ବିରେନ ନାୟକ, ବିଦ୍ୟୁତ ମହନ୍ତ, ବିଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ସହରର ବହୁ ବୁଦ୍ଧିଜୀବୀ ଓ ଅଭିଭାବକ, ଛାତ୍ରଛାତ୍ରୀ ଏହି ସଭାରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.