jsm

ଜୁଲାଇ ୧୦ରୁ ଇନ୍ଦ୍ରାବତୀ ଖରିଫ ଜଳ ସେଚନର ଶୁଭାରମ୍ଭ

csstore

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀର ଖରିଫ ଜଳ ସେଚନ ଜୁଲାଇ ୧୦ରୁ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ମୋଟ ୫୦୧ଟି ଗ୍ରାମର ୧,୧୮, ୦୯୦ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି । ଚଳିତ ଖରିଫ ୨୦୨୬/୨୭ବର୍ଷର ଅୟମାରମ୍ଭରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳ ସଂରକ୍ଷଣ ଗତ ବର୍ଷ ତୁଳନାରେ ହାରାହାରି ୩.୫ମିଟର କମ୍ ରହିଥିବା ବେଳେ ରବି ଜଳ ସେଚନ ପରେ ଅଧିକ ବିଦ୍ୟୁତ ଉତ୍ପାଦନ ହେତୁ ଗଚ୍ଛିତ ଜଳ ଯାହାକି ନିଅଣ୍ଟିଆ ସମୟରେ ଖରିଫ ଜଳ ସେଚନର ବିନିଯୋଗ ହୋଇଥାନ୍ତା ତାହା ବର୍ତ୍ତମାନ ତିନି ମିଟର ତଳକୁ ଖସି ଆଜି ସୁଦ୍ଧା ୬୨୯.୩୯୦ମିଟରରେ ରହିଥିବାରୁ ଚାଷୀ ସମୂହ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଚଳିତ ଖରିଫରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପରିସର ମଧ୍ୟରେ ଆସୁଥିବା ୨୪୦ଖଣ୍ଡ ଗ୍ରାମର ୫୭, ୭୪୮.୩୮ହେକ୍ଟର, ଦକ୍ଷିଣ ମୁଖ୍ୟ କେନାଲ ମଧ୍ୟରେ ଆସୁଥିବା ୧୭୩ ଖଣ୍ଡ ଗ୍ରାମର ୩୪, ୦୭୦.୫୬ ହେକ୍ଟର ଓ ମେଗା ଲିଫ୍ଟ କେନାଲ ପରିସର ମଧ୍ୟରେ ଆସୁଥିବା ୮୮ଟି ଗ୍ରାମର ୨୬, ୨୭୧.୨୯ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଥିବା ସୂଚନାରୁ ପ୍ରକାଶ । ଏପରି କଳାହାଣ୍ଡି ଜିଲ୍ଳାର ମୋଟ ୫୦୧ଗ୍ରାମର ୧,୧୮, ୦୯୦ହେକ୍ଟର ଜମିରେ ଜଳ ସେଚନ କରାଯିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବର୍ଷାର ପରିମାଣ ଆବଶ୍ୟକତାରୁ କମ୍ ରହିଥିବା ବେଳେ ଏବେ ଜଳଭଣ୍ଡାରର ସ୍ଥିତି ୬୨୯.୩୯୦ମିଟରରେ ରହିଛି । ଗତ ବର୍ଷ ଏହାର ପରିମାଣ ୬୩୨.୮୦୦ରେ ରହିଥିଲା । ଆଗାମୀ ଦିନରେ ସ୍ଵାଭାବିକ ବର୍ଷା ନ ହେଲେ ଜଳ ସେଚନ ପାଇଁ ଅନ୍ତରାୟ ସୃଷ୍ଟି ହେବାର ଆଶଙ୍କା କରାଯାଉଥିବା ବେଳେ ପରବର୍ତ୍ତୀ ରବି ଜଳ ସେଚନ ପାଇଁ ସମ୍ପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ବୋଲି ଏବେ ଠାରୁ ଆଶଙ୍କା ବଢ଼ିବାରେ ଲାଗିଲାଣି ।

yuvodaya
Leave A Reply

Your email address will not be published.