ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ

– ଶ୍ରମିକ ମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆଜି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ସହର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନେ ନିଜ ଅଧିକାର ପ୍ରତି ସଚେତନ ହେବା ସହ ଶ୍ରମିକମାନେ ଯେପରି ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକର ସୁଫଳ ପାଇପାରିବେ ସେଥିପ୍ରତି ବିଭିନ୍ନ ଶ୍ରମିକ ସଂଗଠନ ତଥା ଜିଲ୍ଲା ଶ୍ରମ ବିଭାଗ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଶ୍ରମିକ ମାନେ ହେଉଛନ୍ତି ବିକାଶର ମୁଖ୍ୟ ଆଧାର, ରାଜ୍ୟ ସରକାର ସେମାନଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ଯୋଜନାଗୁଡିକ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରମିକମାନେ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଅଧିକାର ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ଶ୍ରମିକମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଏବଂ ସାମାଜିକ ନିରାପତ୍ତା ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରମିକମାନଙ୍କ କୌଶଳ ବିକାଶ, ସୁରକ୍ଷା, ଅଧିକାର ସମ୍ପର୍କରେ ମତବ୍ୟକ୍ତ କରିବା ସହ ଶ୍ରମିକମାନଙ୍କ ହିତପାଇଁ ଜିଲ୍ଲା ଶ୍ରମ ବିଭାଗ ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ଓ ବଲାଙ୍ଗିର ଜିଲ୍ଲାରେ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ ଅବସରରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଜରିଆରେ ୧୭୫ ଜଣ ହିତାଧିକାରୀଙ୍କୁ ପରିଚୟ ପତ୍ର, ଅଣ ସଂଗଠିତ ଶ୍ରମିକ ସାମାଜିକ ନିରାପତ୍ତା ଯୋଜନାରେ ୩୨ ଜଣଙ୍କୁ ପରିଚୟ ପତ୍ର, ୨୫ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା, ୧୪ ଜଣ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ଓ ୧୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟେଷ୍ଟିକାଳୀନ ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ, ଶ୍ରମ ନିରୀକ୍ଷକ ପ୍ରଶାନ୍ତ କୁମାର ସୁନାଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ, ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ସହକାରୀ ଶ୍ରମ ଅଧିକାରୀ ପାନାମଣି ସୋରେନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 + fourteen =